ବଲାଙ୍ଗୀର: ପୂର୍ବତନ ଯୋଗାଣ ସହାୟକଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ । ବରକାନି ଗ୍ରାମ ପଞ୍ଚାୟତର ପୂର୍ବତନ ଯୋଗାଣ ସହାୟକ ରଜତ କୁମାର ପ୍ରଧାନ ଶନିବାରରୁ ନିଖୋଜ ଥିବାବେଳେ ଆଜି ତାଙ୍କର ମୃତଦେହ ବଲାଙ୍ଗୀର ଖୁଜେନପାଳି ଗ୍ରାମ ଜଙ୍ଗଲ ନିକଟ ରେଳ ଲାଇନରୁ ଉଦ୍ଧାର ହୋଇଛି । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ରଜତଙ୍କୁ ଏକ ପିକଅପ୍ ଭ୍ୟାନରେ ଜୋର ଜବରଦସ୍ତ କେହି ନେଇଯାଉଥିବାର ଦେଖିବାକୁ ପାଇଥିଲେ ପରିବାରଲୋକେ । ଏସବୁ ଦେଖିବା ପରେ ଗ୍ରାମବାସୀଙ୍କ ସହିତ ସମ୍ପୃକ୍ତ ଗାଡିକୁ ଧରିବାକୁ ଚେଷ୍ଟା କରିଥିଲେ ପରିବାର ସଦସ୍ୟ । ଏପରିକି ଗାଡିକୁ ଅନେକ ବାଟ ପର୍ଯ୍ୟନ୍ତ ଗୋଡାଇ ଗୋଡାଇ ଧରିବାକୁ ଚେଷ୍ଟା କରିଥିଲେ ଗ୍ରାମବାସୀ । ହେଲେ ସମ୍ପୃକ୍ତ ଗାଡିଟି ଦ୍ରୁତ ଗତିରେ ଖସି ପଳାଇବାରେ ସଫଳ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଯୁବକର ମୋବାଇଲ ଟ୍ରାକ୍ କରି ବଲାଙ୍ଗୀର ନିକଟ ଖୁଜେନପାଳି ଜଙ୍ଗଲରେ ପହଞ୍ଚିଥିଲେ । ଖୁଜେନପାଳି ଜଙ୍ଗଲରେ ପହଞ୍ଚିବା ପରେ ରେଳ ଲାଇନ ନିକଟରୁ ରଜତଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ମୃତକଙ୍କ ବାପା ଓ ଭାଇଙ୍କ ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟାରେ ତାଙ୍କର ଝିଆରୀର ଜନ୍ମ ଦିନ ଥିଲା । ତେଣୁ ତାଙ୍କ ପୁଅ ରଜତ ପ୍ରଧାନ କ୍ରିକେଟ ଖେଳି ଘରକୁ ଆସିବା ପରେ ପାଣି ପିଇ ବସିଥିବାବେଳେ କେହି ତାଙ୍କୁ ଫୋନ କରିଥିଲା । ଯାହାପରେ ସେ ଘରୁ ବାହାରି ଯାଇଥିଲା। ଜନ୍ମଦିନ ପାଳନ ଚାଲିଥିବାବେଳେ ଘର ଲୋକେ ତାଙ୍କୁ ବାରମ୍ବାର ଫୋନ କରିଥିବାବେଳେ ଫୋନ ଲାଗିନଥିଲା।
କିଛି ଅଘଟଣ ଘଟିଥିବାର ସନ୍ଦେହ କରି ସେମାନେ ଗ୍ରାମବାସୀଙ୍କ ସହିତ ମିଶି ଆଖପାଖରେ ଖୋଜାଖୋଜି କରିଥିଲେ । ହେଲେ କୌଣସି ଖୋଜ ଖବର ନପାଇବାରୁ ସେମାନେ ଫେରୁଥିବାବେଳେ ରାତି ପ୍ରାୟ 12 ଟା ସମୟରେ ଏକ ପିକ୍ ଅପ୍ ଗାଡ଼ିରେ 4ଜଣ ଯୁବକ ଜୋରଜବରଦସ୍ତ ରଜତଙ୍କୁ ନେଉଥିବାର ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବା ସହ ଗାଡିର ପିଛା କରିଥିଲେ ମଧ୍ୟ ଗାଡିଟି ଦ୍ରୁତ ଗତିରେ ସେଠୁ ଫେରାର ହୋଇଯାଇଥିଲା ।
ସୂଚନା ଅନୁସାରେ, ଅଇଁଲା ଚୁଆ ଗ୍ରାମର ଯୁବକ ରଜତ ପ୍ରଧାନ ଜଣେ ମେଧାବୀ ଛାତ୍ର ଥିଲେ । ସେ ପାଟଣାଗଡ କଲେଜରେ ପାଠ ପଢି ସାରିବା ପରେ ଗତ ଫେବୃୟାରୀ ମାସରେ ବରକାନି ପଂଚାୟତରେ ଯୋଗାଣ ସହାୟକ ଭାବରେ ନିଯୁକ୍ତି ପାଇଥିଲେ । ତେବେ ସେ ଏହି କାମ ଛାଡି ପୁଣି ବଡ ଚାକିରି କରିବା ଉଦ୍ଦେଶ୍ୟରେ ଗତ ଏପ୍ରିଲ ମାସରେ ଚାକିରିରୁ ଇସ୍ତଫା ଦେଇଥିଲେ । ରଜତଙ୍କୁ ଏଭଳି ନିର୍ମମ ହତ୍ୟା ଘଟଣାରେ ପୋଲିସ ସଠିକ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ରଜତଙ୍କ ପରିବାର।
ଇଟିଭି ଭାରତ, ବଲାଙ୍ଗୀର