ବଲାଙ୍ଗୀର: ଭୁବନେଶ୍ବର ଚନ୍ଦକାରୁ ଅପହୃତ ଦୁଇ ନାବାଳକ ବଲାଙ୍ଗୀର ଟିଟିଲାଗଡରୁ ଉଦ୍ଧାର ହୋଇଛନ୍ତି । କିଛି ଦୁବୃର୍ତ୍ତ ତାଙ୍କୁ ଅପହରଣ କରି ଚାଲାଣ କରୁଥିବା ବେଳେ କୌଶଳକ୍ରମେ ଏମାନେ ତାଙ୍କ ହାତରୁ ଖସି ଆସିବାରେ ସକ୍ଷମ ହୋଇଛନ୍ତି । ଏମାନଙ୍କୁ ଚାଲାଣ କରାଯାଉଥିବା ଟ୍ରକ୍ରେ ଅନ୍ୟ ଅପହୃତ ମାନେ ମଧ୍ୟ ରହିଥିବା ଏମାନେ ପୋଲିସକୁ କହିଛନ୍ତି । ସେପଟେ ଚନ୍ଦକା ପୋଲିସକୁ ଏହି ଦୁଇ ଛାତ୍ରଙ୍କୁ ବଲାଙ୍ଗୀର ପୋଲିସ୍ ହସ୍ତାନ୍ତର କରିବ ବୋଲି ଜଣାପଡିଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ଦୁର୍ବୃତ୍ତଙ୍କ କବଳରୁ ଖସି ଆସିବା ପରେ ଦୁର୍ବୃତ୍ତ ମାନେ କିପରି ସେମାନଙ୍କୁ ଅପହରଣ କରିଥିଲେ, ସେନେଇ ପୋଲିସ ଆଗରେ ସବୁ ବଖାଣିଛନ୍ତି ଦୁଇ ନାବାଳକ । ସେମାନେ କହିବା ଅନୁସାରେ ଉଭୟ ନାବାଳକ ଛାତ୍ର ସ୍କୁଲ ଯାଇଥିଲେ । ହେଲେ ସାଙ୍ଗରେ ଖାଇବା ପାଇଁ ଟିଫିନ୍ ନେଇ ନଥିବାରୁ ସେମାନେ ପାଖରେ ଥିବା ଏକ ହୋଟେଲକୁ ଖାଇବା କିଣିବାକୁ ଯାଉଥିଲେ । ଏହି ସମୟରେ ପାଖରେ ଏକ ଚାରି ଚକିଆ ଗାଡ଼ିରୁ ଦୁଇ ଜଣ ଅଜଣା ବ୍ୟକ୍ତି ଆସି ତାଙ୍କୁ ପଛ ପଟୁ ମୁହଁ ବନ୍ଦ କରି ଏମାନଙ୍କୁ ସେହି ଗାଡ଼ିରେ ଅପହରଣ କରିନେଇଥିଲେ । ଟିଟିଲାଗଡ଼ଠାରେ ଏମାନଙ୍କୁ ଏକ ଟ୍ରକ ଯୋଗେ ଚାଲାଣ କରୁଥିବା ବେଳେ ବଲାଙ୍ଗୀର- ଟିଟିଲାଗଡ ଫାଟକ ଠାରେ ଏହି ଟ୍ରକ୍ଟି ରହିଥିଲା । ଯେଉଁଠାରେ ଏମାନେ ସୁଯୋଗ ପାଇ ଟ୍ରକରୁ ଡେଇଁ ପୋଲିସ ପାଖକୁ ଆସି ସବୁ ବୟାନ କରିଥିଲେ । ଟିଟିଲାଗଡ ପୋଲିସ୍ ଏମାନଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ସେହିପରି ଏହି ଦୁଇ ନାବାଳକ ସହ ଅନ୍ୟ କିଛି ଶିଶୁଙ୍କୁ ମଧ୍ୟ ସେମାନେ ଚାଲାଣ କରୁଥିବାର କୁହାଯାଉଛି । ଯାହାକୁ ନେଇ ପୋଲିସ ତଦନ୍ତ କରୁଥିବାର ଜଣାପଡ଼ିଛି ।
ତେବେ କେବଳ ଏହି ଦୁଇ ନାବାଳକ ଛାତ୍ର ନୁହନ୍ତି, ଏମାନଙ୍କୁ ଚାଲାଣ କରାଯାଉଥିବା ଟ୍ରକ୍ରେ ଆହୁରି ୬ ଜଣ ଝିଅ ଓ ଦୁଇ ଜଣ ଶିଶୁ ଥିବାର ଏମାନେ ପୋଲିସ୍କୁ କହିଛନ୍ତି । ତେବେ ଏହି ବ୍ୟକ୍ତିମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ ଓ ଭୟ ଦେଖାଇ ଚୁପ ରହିବାକୁ କହିଥିଲେ । ଟ୍ରକ୍ଟି ଟିଟିଲାଗଡ ଠାରେ ଥିବାବେଳେ ଫାଟକ ନିକଟରେ ଏମାନେ ସୁଯୋଗ ପାଇ ସେଠାରୁ ଖସି ଆସିଥିବାର କହିଛନ୍ତି । ସେପଟେ ଟିଟିଲାଗଡ ପୋଲିସ୍ ଏମାନଙ୍କ ବୟାନ ଆଧାରର ଏକ ମାମଲା ରୁଜୁ କରିଛି ।
ଇଟିଭି ଭାରତ, ବଲାଙ୍ଗୀର