ବଲାଙ୍ଗୀର: ବନ୍ଧୁ ସାଜିଲା ବଇରୀ । ପଥରରେ ଛେଚିି ସାଙ୍ଗକୁ ନିର୍ମମ ଭାବେ ହତ୍ୟା କଲେ ଦୁଇ ସାଙ୍ଗ । ବଲାଙ୍ଗର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମରେ ହୋଇଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ଦୁଇ ସାଙ୍ଗକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଟଙ୍କା କାରବାରକୁ ନେଇ ହତ୍ୟା କରାଯାଇଥିବା ଟିଟିଲାଗଡ଼ା ଏସଡିପିଓ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତ 22 ତାରିଖ ସକାଳୁ ସଇଁତଳା ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମ ମୁଣ୍ଡରେ ଥିବା କମ୍ୟୁନିଟି ସେଣ୍ଟର ଆଗରେ ଜଣେ ଯୁବକଙ୍କ ରକ୍ତାତ ମୃତଦେହ ଉଦ୍ଧାର ହୋଇଥିଲା । ପରବର୍ତ୍ତୀ ସମୟରେ ଯୁବକ ଜଣକ ସେହି ଗ୍ରାମର ବୁଦ୍ଧଦେବ ନାଗ ବୋଲି ଜଣାପଡିଥିଲା । ପୁଅକୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ମାଆ ସଇଁତଳା ଥାନାରେ ଅଭିଯୋଗ କରିଥିଲେ । ସଇଁତଳା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଜଣାପଡିଥିଲା । ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ଵତ୍ତନ୍ତ୍ର ପୋଲିସ ଟିମ ଗଠନ କରି ଏହାର ତଦନ୍ତ ଚାଲିଥିଲା । ଏଥିରେ ସେହି ଗ୍ରାମର ଦୁଇ ଜଣ ଯୁବକକୁ ପୋଲିସ ଗିରଫ କରିଛି । ତେବେ ଗିରଫ ଦୁଇ ଜଣ ଯୁବକ ମୃତକର ବନ୍ଧୁ ଥିଲେ। ସେମାନେ କିଛି ଦିନ ପୂର୍ବରୁ ଏକାଠି ଗୋଟିଏ ଅନୁଷ୍ଠାନରେ କାମ କରୁଥିଲେ। ତାଙ୍କ ମଧ୍ୟରେ କିଛି ଟଙ୍କା କାରବାର ହୋଇଥିଲା । ଗତ 21 ତାରିଖ ରାତିରେ ଏମାନେ ଗୋଟିଏ ସ୍ଥାନରେ ମଦ ପିଇବା ପରେ ତାଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଦୁଇଜଣ ବନ୍ଧୁ ବୁଦ୍ଧଦେବକୁ ହତ୍ୟା କରିଥିବା ପୋଲିସ କହିଛି ।
ଏହା ମଧ୍ୟ ପଢ଼ନ୍ତୁ: ଯୁବକଙ୍କୁ ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ
ଏହି ଘଟଣା ସମ୍ପର୍କରେ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର କହିଛନ୍ତି, ହତ୍ୟାକାଣ୍ଡ ଘଟଣାରେ ଦେଓଗାଁ ଗ୍ରାମର ଦୁଇ ଯୁବକ ଦେବାଶିଷ ବେଟକ ଓ ନକୁଳ ନାଗକୁ ଗିରଫ କରାଯାଇଛି । ଏମାନେ ମୃତକଙ୍କ ବନ୍ଧୁ ଥିବାବେଳେ ଗୋଟିଏ ସ୍ଥାନରେ କିଛି ଦିନ ପୂର୍ବରୁ ଏକାଠି କାମ କରିଥିଲେ । ତିନି ଜଣଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବାପରେ ଦୁଇ ଅଭିଯୁକ୍ତ ବୁଦ୍ଧଦେବ ନାଗକୁ ହତ୍ୟା କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସେମାନଙ୍କ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଇଟିଭି ଭାରତ, ବଲାଙ୍ଗୀର