ବଲାଙ୍ଗୀର: ଲାଞ୍ଚ ନେବାବେଳେ ଧରା ପଡିଲେ ବଲାଙ୍ଗୀର ତହସିଲଦାର । ଶୁକ୍ରବାର ଦେଓଗାଁ ବ୍ଲକର ଅତିରିକ୍ତ ତହସିଲଦାର 20 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧର ପଡିଛନ୍ତି ।
ସୂଚନା ଅନୁଯାୟୀ, ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଇବାହଲ ଗ୍ରାମର ବିରେନ ଦଲାଇ ନାମକ ବ୍ୟକ୍ତି ନଦୀ ପଠା ଲିଜ ପାଇଁ ଆବେଦନ କରିଥିଲେ । ଏହି ଲିଜ ପାଇଁ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର କୁମାର ଚୌଧୁରୀ ତାଙ୍କୁ 25 ହଜାର ଟଙ୍କା ଲାଞ୍ଚ ମାଗିବା ସହ ଅଗ୍ରୀମ 5 ହଜାର ଟଙ୍କା ନେଇଥିଲେ । ଏଥିସହ ବିରେନଙ୍କୁ ବଳକା 20 ହଜାର ଟଙ୍କା ଦେବା ପାଇଁ ବାରମ୍ବାର ହଇରାଣ କରୁଥିଲେ ।
ଯାହାଫଳରେ ବିରେନ୍ ଭିଜିଲାନ୍ସ ପାଖରେ ଏହି ଘଟଣାକୁ ନେଇ ଅଭିଯୋଗ କରିଥିଲେ । ତେବେ ଶୁକ୍ରବାର ତହସିଲଦାର ବିରେ୍ନଙ୍କ ଠାରୁ 20 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧର ପଡି ଗିରଫ ହୋଇଛନ୍ତି । ଏଥିସହ ଏହି ମାମଲାରେ ଭିଜିଲାନ୍ସ ତହସିଲଦାରଙ୍କ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ।
ଯେଉଁଥିରେ ସାମିଲ ଅଛି ତାଙ୍କ ବଲାଙ୍ଗୀର, ରାୟଗଡା ସହର ସ୍ଥିତ ବାସ ଭବନ ଓ ଦେଓଗାଁ ଅଫିସ । ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ କହିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ