ବଲାଙ୍ଗୀର: ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ପାଳନ ହେଉଛି। ଯେଉଁଥିରେ ପୁଣି ରକ୍ତରଞ୍ଜିତ ହୋଇଛି ସୁଲିଆ ପୀଠ। ବଲାଙ୍ଗୀର ଖଇରଗୁରାର ବଡଖଳା ଓ କୁମୁରିଆର ସାନଖଳାରେ ହଜାର ହଜାର ସଂଖ୍ୟାରେ ପଶୁ ବଳି ପଡିଛି। ତାହା ପୁଣି ପୋଲିସ ଉପସ୍ଥିତିରେ। ତେବେ କେବଳ ବିଧିରକ୍ଷା ପାଇଁ ବଳି ଦିଆଯାଉଥିବା କୁହାଯାଉଥିଲେ ମଧ୍ୟ ପୀଠରେ ହଜାର ହଜାର ସଂଖ୍ୟାରେ ବଳି ପଡିଛି।
ଆଦିବାସୀ ରୀତି ନୀତି ପରମ୍ପରା ଅନୁସାରେ ନିଶି ପୂଜା ପରେ ସକାଳେ ପାଟ ବୋଦା ଧରି ଏକ ବିରାଟ ଶୋଭାଯାତ୍ରାରେ ସୁଲିଆ ପୀଠକୁ ଆସିଥିଲେ ଆଦିବାସୀ । ଏହାପରେ ସୁଲିଆ ବୁଢ଼ା ପାଖରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଦେହୁରୀ ଦେହରେ କାଳସୀ ସବାର ହୋଇଥିଲା। ତାପରେ ଆରମ୍ଭ ହୋଇଥିଲା ବଳି। ପ୍ରଥମେ ଧଳା କୁକୁଡ଼ା, ଓ ଧଳା ବୋଦା ବଳି ଦିଆଯାଇଥିଲା। ପରେ ଶ୍ରଦ୍ଧାଳୁ ଆଣିଥିବା ବୋଦା, କୁକୁଡ଼ାକୁ ଗୋଟିଏ ପରେ ଗୋଟିଏ ବଳି ଚଢା ଯାଇଥିଲା। ପୀଠରେ ହଜାର ହଜାର ସଂଖ୍ୟାରେ ପଶୁବଳି ପଡ଼ିବା ସହ ପୋଢ଼ ବଳି ମଧ୍ୟ ଦିଆଯାଇଥିଲା। ଆଦିବାସୀଙ୍କ ଏହି ପରମ୍ପରା ବହୁ ଦିନରୁ ଚଳି ଆସୁଥିବା ମୁଖ୍ୟ ପୂଜକ କହନ୍ତି।
ଅନ୍ୟପଟେ ସୁଲିଆ ବୁଢ଼ାଙ୍କ ଅପାର କରୁଣାରେ ମାନସିକ ପୂରଣ ହେଉଥିବା ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ପ୍ରତିବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ପ୍ରସିଦ୍ଧ ସୁଲିଆ ଯାତ୍ରା ପାଳିତ ହୋଇଥାଏ । ହେଲେ ଚଳିତ ବର୍ଷ ପ୍ରଥମ ମଙ୍ଗଳବାର ପ୍ରତିପଦା ପଡିଥିବାରୁ ଆଜି ଦ୍ଵିତୀୟ ମଙ୍ଗଳବାର ଦିନ ଶୁଲିଆ ଯାତ୍ରା ପାଳନ କରାଯାଇଛି। କେଉଁ ଆବାହନ କାଳରୁ ପ୍ରଚଳିତ ଏହି ପରମ୍ପରା ତଥା ଆଦିବାସୀଙ୍କ ମହାନ୍ ପର୍ବ ହୋଇଥିଲେ ମଧ୍ୟ ଯାତ୍ରାରେ ସବୁ ସମାଜର ଲୋକଙ୍କ ଗହଳି ଲାଗେ। ଏଥିପାଇଁ ଜିଲ୍ଲା ତଥା ବାହାର ଜିଲ୍ଲା ଓ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଏଠାକୁ ଧାଇଁ ଆସିଥାନ୍ତି।
ଅନ୍ୟପଟେ କୋରୋନା କଟକଣା ଯୋଗୁଁ ଯାତ୍ରାରେ ମୀନା ବଜାର କି ଦୋକାନ ବଜାର ବନ୍ଦ ରହିଥିଲା। ତେବେ ଆଦିବାସୀଙ୍କ ବିଧି ରକ୍ଷା ପାଇଁ ଯାତ୍ରା ପାଳନ ଚାଲିଥିବା କହିଛନ୍ତି ମିଳିତ ସୁଲିଆ ଯାତ୍ରା କମିଟିର ସଭାପତି କହିଛନ୍ତି । ହେଲେ ହଜାର ହଜାର ସଂଖ୍ୟାରେ ପଶୁବଳି ପଡ଼ିଥିବାରୁ ଯାତ୍ରାରେ ବଳି ଦେବାକୁ ପ୍ରତ୍ୟକ୍ଷ ନ ହେଲେବି ପରୋକ୍ଷ ଭାବରେ ଜିଲ୍ଲା ପ୍ରଶାସନ ସମର୍ଥନ ଥିବା ଏଥିରୁ ସ୍ପଷ୍ଟ ବାରି ହୋଇ ଥିଲା।
ସେପଟେ କୋରୋନା କଟକଣା ଯୋଗୁଁ ମହୋତ୍ସବ ବନ୍ଦ ରଖାଯାଇଥିଲେ ବି ବହୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା । ଦୂର ଦୁରାନ୍ତରୁ ମାନସିକଧାରୀଙ୍କ ସୁଅ ଛୁଟିଥିଲା। ତେଣୁ ସୁଲିଆ ବୁଢ଼ାଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରାଯାଇଥିଲା। ଯାତ୍ରାରେ ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ 2 ଜଣ ମାଜିଷ୍ଟ୍ରେଟଙ୍କ ସହ 4 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ ସବୁ ଥର ପାରି ଏଥର ମଧ୍ୟ ଆଦିବାସୀ ତାଙ୍କର ପରମ୍ପରା ଅନୁଯାୟୀ ଲକ୍ଷାଧିକ ନିରୀହ ପଶୁ ପକ୍ଷୀଙ୍କ ବଳି ଦେଇଛନ୍ତି। ଏବଂ ପୁଣି ଥରେ ସୁଲିଆ ପୀଠ ରକ୍ତ ରଞ୍ଜିତ ହୋଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ