ବଲାଙ୍ଗୀର: ଦୁର୍ଘଟଣାରେ କଲେଜ୍ ଛାତ୍ରୀଙ୍କ ମୃତ୍ୟୁ ପରେ ଆଜି କ୍ଷତିପୂରଣ ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଲେ ଅସନ୍ତୁଷ୍ଟ ଛାତ୍ରଛାତ୍ରରୀ । ଏମାନେ ମୃତ ଛାତ୍ରୀଙ୍କ ପରିବାରବର୍ଗକୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ସେହିପରି ସବୁ ସ୍କୁଲ କଲେଜ ସମ୍ମୁଖରେ ରାସ୍ତାରେ ସ୍ପିଡ ବ୍ରେକର ବ୍ୟବସ୍ଥା ସାଙ୍ଗକୁ ନିକଟରେ ମଦ ନିଶା ଦ୍ରବ୍ୟ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି । ଆଜି(ଗୁରୁବାର) ବଲାଙ୍ଗୀର ପାଟଣାଗଡ଼ରେ ଆଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଯେଉଁଥିରେ ଏଠିକାର ବିଭିନ୍ନ କଲେଜର ଶହଶହ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଥିଲେ । ତେବେ ନିଜ ସହପାଠୀକୁ ଏକ ଦୁର୍ଘଟଣାରେ ହରାଇବା ପରେ ପ୍ରଶାସନିକ ବ୍ୟବସ୍ଥା ବିରୋଧରେ ଏହି ଆନ୍ଦୋଳନ କରିଥିଲେ ।
ଗତ ସେପ୍ଟେମ୍ବର ୧ ତାରିଖରେ ପାଟଣାଗଡ଼ ଜବାହର କଲେଜର ଛାତ୍ରୀଙ୍କୁ କଲେଜ୍ ସମ୍ମୁଖରେ ଏକ ମିନିଟ୍ରକ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ି ଯାଇଥିଲା । ଯାହାଫଳରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ମୃତ ଛାତ୍ରୀ ଜଣକ ବଲାଙ୍ଗୀର ପୁଇନ୍ତଳା ବ୍ଲକ ସିରାବାହଲ ଗ୍ରାମର ସ୍ମିତା ଶୁଭଦର୍ଶିନୀ ପଧାନ । ସେ ପ୍ରତ୍ୟେକ ଦିନ ସାଇଲକରେ କଲେଜ ଯିବା ଆସିବା କରୁଥିଲେ । ଗତ ସେପ୍ଟେମ୍ବର ୧ ତାରିଖରେ ଛାତ୍ରୀ ଜଣକ କଲେଜ ଯିବା ସମୟରେ କଲେଜ୍ ସମ୍ମୁଖରେ ପଛ ପଟୁ ଏକ ଦୃତଗାମୀ ମିନିଟ୍ରକ ତାଙ୍କୁ ଧକ୍କା ଦେବା ସହ ଚାପି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍କୁ ନିଆଯାଇଥିବା ବେଳେ ଛାତ୍ରୀ ଜଣକ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ।
ଏହା ମଧ୍ୟ ପଢନ୍ତୁ...ବନ୍ଧୁକ ମୁନରେ ଲୁଟ ଘଟଣା: ଚିହ୍ନଟ ହେଲେ ଲୁଟେରା, ଖୁବଶୀଘ୍ର ଗିରଫ ହେବେ ଦୁର୍ବୃତ୍ତ
ନିଜ ସହପାଠୀକୁ ହରାଇ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ତେବେ ପ୍ରଶାସନ ଓ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଘଟଣାକୁ ଦିନ ପରେ ଦିନ ବିତି ଥିବା ବେଳେ ତାଙ୍କ ଦାବି ପୁରଣ ନ ହେବାରୁ ଛାତ୍ରଛାତ୍ରୀ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଥିଲେ । ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ସବୁ ସ୍କୁଲ କଲେଜ୍ ସମ୍ମୁଖରେ ସ୍ପିଡ୍ ବ୍ରେକର ବ୍ୟବସ୍ଥା କରିବା, ଶିକ୍ଷାନୁଷ୍ଠାନ ନିକଟରେ ମଦ ଓ ଅନ୍ୟ ନିଶା ଦ୍ରବ୍ୟ ବିକ୍ରି ବନ୍ଦ କରିବା ଭଳି ଦାବି ଏମାନେ ଉପସ୍ଥାପିତ କରିଥିଲେ । ହେଲେ ଦାବି ପୁରଣ ନହେବାରୁ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଥିଲେ । ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ତେବେ ଆନ୍ଦୋଳନରତ ଜଣେ ଛାତ୍ରୀ ସମ୍ପଦା ମହାନ୍ତି କହିଛନ୍ତି, "ଦୁର୍ଘଟଣାରେ ଆମେ ଆମ ସହପାଠିନୀଙ୍କୁ ହରାଇଛୁ । ତାଙ୍କୁ ନ୍ୟାୟ ଦେବା ପାଇଁ ଆମେ ଆନ୍ଦୋଳନକୁ ଓହ୍ଲାଇଛୁ । ସେହିପରି ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛୁ ।"
ଇଟିଭି ଭାରତ,ବଲାଙ୍ଗୀର