ବଲାଙ୍ଗୀର: ବିକାଶ ନାଁରେ ବେସାହାରା । ପ୍ରଶସ୍ତିକରଣ ନାଁରେ ହଟାଯାଉଛି ବସ୍ତି। ଜେସିବି ଭାଙ୍ଗି ଚାଲିଛି ଘରଦ୍ବାର । ଆଖି ଆଗରେ ଧୂଳିସାତ୍ ହୋଇଯାଉଛି ସବୁ କିଛି । ପ୍ରଶାସନର ନାଲି ଆଖି ତଳେ ଭୁଶୁଡି ପଡୁଛି କୋଠା । ଝାଳବୁହା ପରିଶ୍ରମରେ ଗଢି ଉଠିଥିବା ଏହି ଘର ଜଣେ ଖଟିଖିଆ ଓ ଦିନ ମଜୁରିଆ ପାଇଁ କୌଣସି ତାଜମହଲ ଠାରୁ କମ ନୁହେଁ। ହେଲେ ବିକାଶ ନାଁରେ ବଳି ପଡୁଥିବା ବସ୍ତିବାସିନ୍ଦାଙ୍କୁ ଭୁଲି ଯାଉଛନ୍ତି ସରକାର। ଦୀର୍ଘ 1 ମାସ ଧରି ବଲାଙ୍ଗୀର ଜିଲ୍ଲାରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବାବେଳେ ବିସ୍ଥାପିତଙ୍କୁ ଥଇଥାନ କରାଯାଉ ନଥିବା ଅଭିଯୋଗ ହୋଇଛି ।
ବଲାଙ୍ଗୀର ଜିଲ୍ଲାରେ ଜନସଂଖ୍ୟା ବୃଦ୍ଧି ପାଇବା ସହ ବଢୁଛି ଟ୍ରାଫିକ ସମସ୍ୟା । ଏହା ସହ ଜିଲ୍ଲା ଦେଇ ବରଗଡ ବୋରିଗୁମ୍ମା 26 ନଂ ଓ ଖୋର୍ଦ୍ଧା ବଲାଙ୍ଗୀରର 57ନଂ ଜାତୀୟ ରାଜପଥ ଯାଇଛି । ଏହି ଦୁଇଟି ଜାତୀୟ ରାଜପଥକୁ ବାଇପାସ କରିବାକୁ 40 କୋଟି ଟଙ୍କା ବ୍ୟୟରେ ରିଙ୍ଗ ରୋଡ ନିର୍ମାଣ କରାଯାଉଛି । ଯେଉଁଥି ପାଇଁ ଜମି ଅଧିଗ୍ରହଣ କରାଯାଉଥିବାବେଳେ ବଲାଙ୍ଗୀର ସୂର୍ଯ୍ୟନଗର ଭଳି ବସ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି । ସେପଟେ ବିସ୍ଥାପିତଙ୍କ ଥଇଥାନ କରାଯିବା ନେଇ ପ୍ରକ୍ରିୟା ଜାରି ରହିଛି ବୋଲି ଉପଜିଲ୍ଲାପାଳ କହିଛନ୍ତି ।
ସେପଟେ, ଆଗକୁ ସହର ମଧ୍ୟରେ ଥିବା ଜଳାଶୟରୁ ଜବର ଦଖଲ, ରାସ୍ତା ପାଇଁ ଜବରଦଖଲ ଉଚ୍ଛେଦ ଭଳି କାର୍ଯ୍ୟ ଚାଲିଛି। ଏଥିରେ ଏଯାବତ ପ୍ରତାପ ସାଗର ପଡା ରାସ୍ତା, ସାଲେପାଲି ରାଜୀବ ନଗର ରାସ୍ତା , ଗାନ୍ଧୀ ନଗର ତାଳପଲି ପଡା ରାସ୍ତାକୁ ପ୍ରଶସ୍ତିକରଣ କରାଯାଇଛି। ତେଣୁ ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରିବାକୁ ଦାବି କରିଛନ୍ତି ବସ୍ତିବାସିନ୍ଦା ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ