ବଲାଙ୍ଗୀର: ଲଗାତାର ଦ୍ବିତୀୟ ଥର ଲାଗି ବଲାଙ୍ଗୀର ବିଧାନସଭା ଆସନରୁ ବିଜୟଲାଭ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଗତଥର ସେ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ବିଜେଡି ହେଭିୱେଟ ଅନଙ୍ଗଉଦୟ ସିଂଦେଓଙ୍କୁ ହରାଇଥିଲେ । ଏଥର ମଧ୍ୟ ବିଜେଡି ପ୍ରାର୍ଥୀ ହୋଇଥିବା ତାଙ୍କର ସାନ ପୁଅ ଅର୍କେଶଙ୍କୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି ନରସିଂହ ।
ଜିତିବା ପରେ ବଲାଙ୍ଗୀରବାସୀଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ନରସିଂହ । ଲୋକେ ତାଙ୍କୁ ବାଧ୍ୟ କରିଥିଲେ ଲଢ଼ିବା ପାଇଁ ଏବଂ ପୁଣି ଥରେ ବହୁ ସଂଖ୍ୟାରେ ଭୋଟ ରୂପକ ଭଲପାଇବା ଅଜାଡ଼ି ଦେଇଛନ୍ତି । କଡ଼ା ମୁକାବିଲା ମଧ୍ୟରେ ସେ 5 ହଜାର 342 ଖଣ୍ଡ ଭୋଟ ବ୍ୟବଧାନରେ ଅର୍କେଶଙ୍କୁ ପରାସ୍ତ କରିଛନ୍ତି । ଅର୍କେଶଙ୍କୁ ମୋଟ 66 ହଜାର 257 ଖଣ୍ଡ ଭୋଟ ମିଳିଥିବା ବେଳେ ନରସିଂହ ପାଇଥିଲେ 71 ହଜାର 598 ଖଣ୍ଡ ଭୋଟ ।
ଏଣିକି ଦାୟିତ୍ବ ଆହୁରି ବଢି଼ଯାଇଥିବା କହିଛନ୍ତି ନରସିଂହ । ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ଲାଗି ତାଙ୍କର କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ ଜଣାଇଛନ୍ତି । ଭୂମିହୀନଙ୍କୁ ଜମି ଏବଂ ଘର, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ରୋଜଗାର ଇତ୍ୟାଦି ଦିଗରେ ସେ କାମ କରିବେ ବୋଲି କହିଛନ୍ତି । ବଲାଙ୍ଗୀରର ସାମଗ୍ରିକ ବିକାଶ ପାଇଁ ସେ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ