ବଲାଙ୍ଗୀର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା । ସ୍ବତନ୍ତ୍ର ଏଜେନ୍ସି ଦ୍ବାରା ତଦନ୍ତ ଦାବି କଲେ ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ଦେଶରେ ଏହା ତୃତୀୟ ଘଟଣା ହୋଇଥିବା ବେଳେ ଏହାକୁ ଗୁରୁତ୍ୱର ସହ ନେଇ ସଠିକ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅନ୍ୟ ସ୍ୱତନ୍ତ୍ର ଏଜେନ୍ସି ଦ୍ୱାରା ତଦନ୍ତ କରିବାକୁ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି । ତେବେ ଆଜି ସେ ବଲାଙ୍ଗୀରରେ ନିଜର ପ୍ରତିକ୍ରିୟା ଦେଇ ଏହି ଦାବି କରିଛନ୍ତି। ଦେଶରେ ରାଜନୀତିରେ ଅନେକ ମାମଲା ଏଭଳି ଘଟିଛି । ହେଲେ ଓଡ଼ିଶାରେ ଜଣେ ମନ୍ତ୍ରୀଙ୍କ ହତ୍ୟା ତାହା ପୁଣି ଜଣେ ପୋଲିସ ଅଧିକାରୀ କରିବା ପ୍ରଥମ ବୋଲି ସେ କହିଛନ୍ତି। ଏଥିସ ଦେଶରେ ଏହା ତୃତୀୟ ଘଟଣା ବୋଲି ସେ କହିଛନ୍ତି।
ସେପଟେ ସ୍ବର୍ଗତ ନବ ଦାସ ଅନ୍ୟ ଦଳର ହୋଇ ମଧ୍ୟ ତାଙ୍କର ଘରୁଆ ସମ୍ପର୍କ ଥିଲା। ଏକା ସାଙ୍ଗରେ ଆମେ ବିଧାନ ସଭାରେ କାମ କରିଛୁ। ତାଙ୍କ ପୁଅ ବାହାଘରରେ ମଧ୍ୟ ଆମେ ଯୋଗଦାନ କରିଥିଲୁ । ସେହିପରି ସେ ମନ୍ତ୍ରୀ ହେବା ପରେ ମଧ୍ୟ ବଲାଙ୍ଗୀର ଆସିଲେ ତାଙ୍କ ସହ ସାକ୍ଷାତ ହେଉଥିଲା । ଏନେଇ ତାଙ୍କର ହତ୍ୟା ରେ ସେ ଦୁଃଖିତ ଓ ମର୍ମାହତ ଥିବାର କହିଛନ୍ତି। ସେହିପରି ନବ ଦାସ ତାଙ୍କ ଗହଣରେ ନ ଥିବା ସେ ବିଶ୍ୱାସ କରି ପାରୁ ନାହାନ୍ତି । ଅନ୍ୟପଟେ ତଦନ୍ତ ବିଷୟରେ ସେ କିଛି କହିବାକୁ ମନା କରିଥିବା ବେଳେ ଯେହେତୁ ପୋଲିସ ଅଧିକାରୀ ଏହାର ମୁଖ୍ୟ ଅଭିଯୁକ୍ତ ତେଣୁ ଅନ୍ୟ ଏକ ସ୍ୱତନ୍ତ୍ର ଏଜେନସି ଦ୍ୱାରା ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ବିଗତ ଦିନରେ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଷଣ ସିଂ ବେଦୀଙ୍କ ହତ୍ୟା ହେଉ କିମ୍ବା ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ହେଉ ଏହି ଭଳି ସ୍ୱତନ୍ତ୍ର ଏଜେନ୍ସି ତଦନ୍ତ କରିଥିଲା ଏବଂ ସତ୍ୟ ସାମ୍ନାକୁ ଆସିଥିଲା । ତେଣୁ ଏହି ଘଟଣାର ମଧ୍ୟ ସ୍ବତନ୍ତ୍ର ତଦନ୍ତ କରାଯାଉ ବୋଲି ସେ କହିଛନ୍ତି ।
ପ୍ରକାଶ ଥାଉକି, ଗତ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡ଼ା ଗାନ୍ଧୀଛକଠାରେ ଗୁଳିମାଡ଼ ହୋଇଥିଲା । ପୋଲିସ ଗୁଳି କରିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଅଭିଯୁକ୍ତ ASI ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କରିଥିବା ବେଳେ ଗୋଟିଏ ଗୁଳି ତାଙ୍କ ବାମ ପଟ ଛାତିରେ ବାଜିଥିଲା । ଏହି ଅଘଟଣରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବିରୋଧୀ ଅଭିଯୋଗ ଆଣିଥିବା ବେଳେ ଗୃହ ବିଭାଗ ଓ ଗୁଇନ୍ଦା ବିଭାଗକୁ ଦାୟୀ କରିଛନ୍ତି । ଏଭଳି ଘଟଣା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ଅନ୍ୟପଟେ ପ୍ରକୃତ ଅପରାଧୀକୁ ଧରିବା ଲାଗି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ ।
ଇଟିଭି ଭାରତ, ବଲାଙ୍ଗୀର