ବଲାଙ୍ଗୀର: ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ହରିଶଙ୍କର ସ୍ଥିତ ହରିଣ ପାର୍କରେ ଅଜଣା ଭୂତାଣୁର ଆତଙ୍କ । 3 ଦିନ ମଧ୍ୟରେ ପାର୍କରେ 9 ହରିଣଙ୍କର ହେଲାଣି ମୃତ୍ୟୁ । ତେବେ ଗତ ୧ ରୁ ୪ ତାରିଖ ମଧ୍ୟରେ ମୃତ୍ୟୁ ହୋଇଥିବା ୯ ହରିଣଙ୍କର ମୃତ୍ୟୁର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ । ଏନେଇ ଗତ ସୋମବାର ରାଜ୍ୟ ପ୍ରାଣୀରୋଗ ଗବେଷଣା କେନ୍ଦ୍ର ଫୁଲନଖରା କଟକରୁ ଏକ ଚାରିଜଣିଆ ବିଶେଷଜ୍ଞ ଦଳ ହରିଶଙ୍କରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ହରିଣର ନମୁନା ସଂଗ୍ରହ କରି କଟକ ଗବେଷଣା କେନ୍ଦ୍ରକୁ ନିଆଯାଇଛି ଏବଂ ପରୀକ୍ଷା ପରେ ହରିଣ ମୃତ୍ୟୁର କାରଣ ଜଣାପଡିବ ବୋଲି ପ୍ରାଣୀରୋଗ ଗବେଷଣା କେନ୍ଦ୍ରର ବିଶେଷଜ୍ଞ ଡ଼ା ମିହିର କୁମାର ନାଏକ କହିଛନ୍ତି ।
ପୂର୍ବରୁ ଏନେଇ ବଲାଙ୍ଗୀର ଡିଏଫଓ ମଧ୍ଯ ସେଠାକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ହରିଶଙ୍କର ହରିଣ ପାର୍କରେ ଏବେ 370ଟି ହରିଣ ଅଛନ୍ତି । ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ସମ୍ପୂର୍ଣ୍ଣ ବନ ବିଭାଗର। ହେଲେ ଗତ ତିନିଦିନ ମଧ୍ୟରେ ୯ ହରିଣଙ୍କର ଅସ୍ୱାଭାବିକ ମୃତ୍ୟୁ ହେବା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛି ।
ଅନ୍ୟପଟେ ଏହି ଗୁରୁତର ଘଟଣାକୁ ହାଲୁକା ଭାବରେ ନେଇଛନ୍ତି ରେଞ୍ଜର ଶ୍ରୀବତ୍ସ କୁମୁରା । କିଛି ହରିଣ ନିଜ ନିଜ ମଧ୍ୟରେ ଧସ୍ତାଧସ୍ତି ହୋଇ ମୃତ୍ୟୁବରଣ କରିଥିବା ରେଞ୍ଜର କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି, ହରିଣ ମୃତ୍ୟୁର କାରଣ ପ୍ରାଣୀରୋଗ ଗବେଷଣା କେନ୍ଦ୍ରର ଟିମ୍ ଜାଣି ପାରୁନଥିବା ବେଳେ ଧସ୍ତାଧସ୍ତିରୁ ମୃତ୍ୟୁ ବୋଲି ରେଞ୍ଜର ଜାଣିଲେ କେମିତି ?
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ