ବଲାଙ୍ଗୀର: ଦେଶରେ ବାଳିକା ଶିକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରହିଛି ଅନେକ ଯୋଜନା । ମାତ୍ର ଜଣେ ଗରିବ ଭିନ୍ନ କ୍ଷମ ବାଳିକାର ପାଠ ପଢ଼ାରେ ବାଧକ ସାଜିଛି ଅର୍ଥ । ବଲାଙ୍ଗୀର ସଦେଇପାଲି ପଞ୍ଚାୟତର ଗନ୍ଧରେଳ ଗ୍ରାମର ସୁରେଶ ନନ୍ଦଙ୍କ ଝିଅ ଦିଲିଶା ନନ୍ଦ । ଜନ୍ମରୁ ଦିଲିଶା ଭିନ୍ନକ୍ଷମ ଥିବା ବେଳେ ସବୁ କାମ ପାଇଁ ନିଜ ବାପା ମା' ଙ୍କ ସାହାଯ୍ୟ ନେଇଥାନ୍ତି।
ତେବେ ଏଭଳି ପରିସ୍ଥିତିରେ ମଧ୍ୟ ସେ ପାଠ ପଢ଼ିବାର ଦୃଢ ଇଛା ରଖିଛନ୍ତି । ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢି ଏବେ ଘରେ ଅଛନ୍ତି । ଆଗକୁ ପଢ଼ିବାର ତାଙ୍କର ଇଛା ଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁ ତାହା ସମ୍ଭବ ହୋଇ ପାରୁନାହିଁ।
ସେହିପରି ଆଖ ପାଖରେ କୌଣସି ଉଚ୍ଚ ବିଦ୍ୟାଳୟ ନଥିବା ବେଳେ ତାଙ୍କୁ ଅଧିକ ପଢିବାକୁ ସହର ଆସିବାକୁ ହେବ । ହେଲେ ଗରିବ ପରିବାର ପାଖରେ ସହର ଯିବାକୁ ସମ୍ବଳ ନଥିବା ବେଳେ ପଢ଼ିବାର ଆଶା ମଧ୍ୟ ମଉଳି ଯାଇଛି ।
ଦିଲିଶାଙ୍କ ବାପା ଜଣେ ଦିନ ମଜୁରିଆ ଭାବ କାମ କରି ବହୁକଷ୍ଟରେ ପରିବାର ଚଳାନ୍ତି । ଚିକିତ୍ସା ପାଇଁ ବାପା ମା ସବୁଠି ଦୌଡ଼ି ନିରାଶ ହେବାପରେ ଘରେ ଝିଅର ଯତ୍ନ ନେଉଛନ୍ତି। ଝିଅକୁ ଅଧିକ ଶିକ୍ଷା ଦେବା ପାଇଁ ତାଙ୍କ ପାଖରେ ଆଉ ସମ୍ବଳ ନାହିଁ । ଫଳରେ ଅଧିକ ପଢ଼ିବାର ସ୍ବପ୍ନ ପୁରଣ କରିବା ପାଇଁ ସରକାରୀ ସାହାଯ୍ୟ ଆଶାରେ ଅଛନ୍ତି ପରିବାର।
ବଲାଙ୍ଗୀରରୁ ସେକ ମହମ୍ମଦ ୱାହିଦ, ଇଟିଭି ଭାରତ