ବଲାଙ୍ଗୀର: ବିଜେପି ନେତୃତ୍ବାଧୀନ କେନ୍ଦ୍ରରେ ମୋଦି ସରକାରଙ୍କ ଆଠ ବର୍ଷ ପୂର୍ତ୍ତି ଅବସରରେ ବଲାଙ୍ଗୀର ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେପି ମୋଦି ସରକାର ଦେଶର ଶାସନରେ ଆଠ ବର୍ଷ ପୂର୍ତ୍ତି ହୋଇଛି । ମୋଦି ସରକାର ଦ୍ଵିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ବଲାଙ୍ଗୀର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇଥିଲା ।
ଯେଉଁଥିରେ ମୋଦି ସରକାରଙ୍କ ଉପଲବ୍ଧି ପ୍ରସଙ୍ଗରେ ବଲାଙ୍ଗୀର ବିଜେପି ସାଂସଦ ସଂଗୀତା କୁମାରୀ ସିଂହଦେଓ କହିଥିଲେ । ମୋଦି ସରକାର ସବକା ବିକାଶ ସବକା ସାଥ ସବକା ପ୍ରୟାସ ହିଁ ମୂଳ ମନ୍ତ୍ର ଥିବା ବେଳେ ଏହାଦ୍ବାରା ଆଜି ଭାରତ ବିକାଶର ଦିଗରେ ଅଗ୍ରସର ହେଉଛି । ଯେଉଁଥିରେ ଦେଶର ସବୁ ବର୍ଗର ଲୋକଙ୍କ ବିକାଶ ହୋଇଛି।
ମହିଳା ଯୁବ ବର୍ଗ ହୁଅନ୍ତୁ କିମ୍ବା ଗରିବ ଦଳିତ ବର୍ଗ ହୁଅନ୍ତୁ ସମସ୍ତଙ୍କର ସର୍ବାଙ୍ଗୀନ ଉନ୍ନତି ହୋଇଛି। ଏହି ସବୁ ସଫଳ ହୋଇଛି ମୋଦିଙ୍କ ଲୋକାଭିମୁଖୀ ଯୋଜନା ଦ୍ବାରା। ଯାହାଦ୍ବାରା କୃଷି ଠୁଁ ନେଇ ସବୁ କ୍ଷେତ୍ରରେ ବିକାଶ ଆଜି ସମ୍ଭବ ହୋଇ ପାରିଛି। ଏବଂ ଦେଶର ଜିଡିପି କରୋନା ମହାମାରୀ ସତ୍ତ୍ବେ ଅଧିକ ରହିଛି। ସେହିପରି ସବୁ ବର୍ଗଙ୍କ ପାଇଁ ଥିବା ଯୋଜନା ଲୋକଙ୍କ ବିକାଶ ସାଙ୍ଗକୁ ଦେଶର ମଧ୍ୟ ବିକାଶ ହୋଇଥିବା ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ କହିଛନ୍ତି।
ତେବେ ଆଧାର କାର୍ଡ ଲିଙ୍କେଜ, ସିଙ୍ଗଲ ୱିଣ୍ଡୋ ସୁବିଧା, ଗୋଟିଏ ଦେଶ ଗୋଟିଏ କାର୍ଡ, ଆୟୁଷ୍ମାନ ଭାରତ, ପିଏମ କେୟାର ଫଣ୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଜଳ ମିଶନ ଭଳି ଯୋଜନା ଦେଶ ଗଢିବାରେ ବେଶ ସହାୟକ ହୋଇଥିବାର ସେ କହିଛନ୍ତି। ଏହାବାଦ ଏବେ ଭାରତ ବିଶ୍ବରେ ନିଜର ସ୍ଵତନ୍ତ୍ର ପରିଚୟ ତିଆରି କରିଥିବାର ସେ କହିଛନ୍ତି। ଯାହାଦ୍ବାରା ଦେଶବାସୀ ଗୌରନ୍ଵିତ ହୋଇଛନ୍ତି। ଆଗକୁ ମଧ୍ୟ ଏହି ବିକାଶ ଜାରି ରହିବ ବୋଲି ସାଂସଦ ସଂଗୀତା କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର