ବଲାଙ୍ଗୀର: ଆଜିବି ବଞ୍ଚିଛି ମାନବିକତା । ଦୀର୍ଘ ୮ ବର୍ଷ ଧରି ନିଖୋଜ ଥିବା ଯୁବକଙ୍କୁ ଉଦ୍ଧାର କରି ପରବାର ଲୋକଙ୍କ ପାଖରେ ପହଞ୍ଚାଇଲେ ସମାଜସେବୀ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଖୋଜ ପୁଅକୁ ପାଇ ଖୁସିରେ ଆତ୍ମବିଭୋର ହୋଇପଡିଛନ୍ତି ପରିବାର ଲୋକେ ।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଲାଠର ଥାନା ଅନ୍ତର୍ଗତ ଟଙ୍କପାଣି ଗାଁର ସୁନ୍ଦର ହିଆଲଙ୍କ ସାନ ପୁଅ ଜିତେନ୍ଦ୍ର ହିଆଲ୍ । 2014 ଅଗଷ୍ଟ 1 ତାରିଖରେ ଘରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ । ଏନେଇ ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ । ହେଲେ ତାଙ୍କର ପତ୍ତା ପାଇ ନ ଥିଲେ । ସେପଟେ ନିଖୋଜ ଯୁବକ ମହାରାଷ୍ଟ୍ର ମୁମ୍ବାଇ ବସ୍ ଷ୍ଟାଣ୍ଡରେ ବୁଲୁଥିବାବେଳେ ଓଡ଼ିଶାର ସମାଜସେବୀ ଡ଼ାକ୍ତର ସୁନିଲ ଦାସଙ୍କ ନଜରରେ ପଡିଥିଲା । ଏବଂ ସେ ଜଣେ ଓଡ଼ିଆ ଯୁବକ ବୋଲି ଜାଣି ତାଙ୍କୁ ସେଠାରୁ ସେ ଉଦ୍ଧାର କରି ଭୁବନେଶ୍ବର ଆଣି ସେଠିକାର ସ୍ଵଧାର ଗୃହରେ ରଖି ତାଙ୍କର ଚିକିତ୍ସା କରିଥିଲେ ।
ଏବଂ ଚିକିତ୍ସା ପରେ ଏବେ ସେ ସୁସ୍ଥ ହୋଇଥିବାବେଳେ, ତାଙ୍କୁ ନିଜେ ଡ଼ାକ୍ତର ସୁନୀଲ ଦାସ ସାଙ୍ଗରେ ଆଣି ତାଙ୍କ ବାପା ମାଆଙ୍କ ପାଖରେ ପହଞ୍ଚାଇଛନ୍ତି । ତେବେ ଦୀର୍ଘ ୮ ବର୍ଷ ପରେ ବାପା ମା ନିଜ ପୁଅକୁ ଫେରି ପାଇଥିବାବେଳେ ସମାଜସେବୀ ସୁନିଲ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଏହି ଘଟଣାକୁ ନେଇ ସମାଜସେବୀଙ୍କ କାର୍ଯ୍ୟକୁ ସବୁଠି ପ୍ରଶଂସା କରାଯାଇଛି ।
ଇଟିଭି ଭାରତ, ବଲାଙ୍ଗୀର