ବଲାଙ୍ଗୀର: ପାଟଣାଗଡ଼ରେ ମାଆ ପାଟଣେଶ୍ୱରୀଙ୍କ ବଏଲ୍ ଯାତ୍ରା ବେଶ ଧୁମଧାମରେ ସମ୍ପନ୍ନ ହୋଇଛି । ଏଥିରେ ଲକ୍ଷାଧିକ ଭକ୍ତ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ବରୁଆ ବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମାଆଙ୍କ ପୀଠରେ ଏହି ଯାତ୍ରା ରାତି ତମାମ ଚାଲିଥିଲା ।
ମାଆ ବରୁଆ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ନଗର ପରିକ୍ରମା କରିଥିଲେ । ସେହିପରି ମାଆ ଆର୍ବିଭୂତ ହେବାସହ ପ୍ରଥମେ ଶତ୍ରୁ ନାଶର ପ୍ରତୀକ ଖପରଚୂପା ବିଧି ଅନୁଷ୍ଠିତ ହୋଇଥିଲା (maa pataneswari) । ଗଡ଼କୁ ସୁରକ୍ଷା ଦେବା ପାଇଁ ଅଷ୍ଠମଲ୍ଲଙ୍କ ସମାଧିରେ ଲାଠି ପ୍ରହାର ବିଧି ସମ୍ପନ୍ନ ହୋଇଥିଲା ।
ସମାନ ଭାବରେ ସହର ମଧ୍ୟରେ ମାଆ ପରିକ୍ରମା କରି ସହରର ଚାରି ଦିଗକୁ ରାକ୍ଷସ ଓ ଶତ୍ରୁଙ୍କ ଠାରୁ ସୁରକ୍ଷା ଦେବା ପାଇଁ ତନ୍ତ୍ରମନ୍ତ୍ରରେ ଆବଦ୍ଧ କରିଥିଲେ । କିମ୍ବଦନ୍ତୀ ଅନୁସାରେ, ଆଜିକୁ ପ୍ରାୟ 2ହଜାର ବର୍ଷ ପୂର୍ବେ ତତ୍କାଳୀନ ପାଟଣା ରାଜ୍ୟର ମହାରାଜା ରମାଇ ଦେଓ ଏଠାରେ ଶାସନ କରୁଥିବା ୮ଟି ମଲ୍ଲଙ୍କୁ ନାଶ କରି ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । ସେହି ଦିନଠାରୁ ଏଠି ମାଆ ପାଟଣେଶ୍ବରୀଙ୍କୁ ସ୍ଥାପନ କରି ରାଜା ରମାଇ ଦେଓ ପୂଜା ଆରଧନା ଆରମ୍ଭ କରିଥିଲେ ।
ବିଶ୍ବାସ ରହିଛି ମାଆ ପାଟଣେଶ୍ବରୀ ସେହି ଦିନଠାରୁ ଏହି ଗଡର ସୁରକ୍ଷା କରିବା ଶହ ଭକ୍ତଙ୍କ ମନସ୍କାମନା ପୂରଣ କରି ଆସୁଛନ୍ତି (boil yatra in Balangir)। ବର୍ଷକୁ ଥରେ ନବମୀ ଓ ଦଶହରା ତିଥିରେ ମାଆ ପ୍ରତ୍ୟକ୍ଷ ଭାବେ ବରୁଆଁ ବେଶରେ ନଗର ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇ ଆସୁଛନ୍ତି । ଯାହାକୁ ବଏଲ୍ ଯାତ୍ରା ବୋଲି କୁହାଯାଇଥାଏ । ଏହାକୁ ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବା ଆକଳନ କରି ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଇଟିଭି ଭାରତ, ବଲାଙ୍ଗୀର