ବଲାଙ୍ଗୀର: ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ କାମ ତରାନ୍ୱିତ କରି ଶୀଘ୍ର କାମ ସମ୍ପୂର୍ଣ୍ଣ ଦାବି ନେଇ ଖୋର୍ଦ୍ଧା ବଲାଙ୍ଗୀର ରେଳ ସଂଘର୍ଷ ସମିତି ଆସନ୍ତା 14 ତାରିଖରେ ତିନୋଟି ଜିଲ୍ଲାରେ ଆନ୍ଦୋଳନ କରିବାର ନେଇଛି ନିଷ୍ପତ୍ତି । ଯାହାକୁ ଉଭୟ ବିଜେପି ଓ କଂଗ୍ରେସ ସମର୍ଥନ ଦେବା ସହ ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି ।
ସବୁଠାରୁ ବିଳମ୍ବିତ ତଥା ରାଜନୈତିକ ଓ ପ୍ରଶାସନିକ ପଶା ପାଳିରେ ପଡି ବଲାଂଗୀର ଖୋର୍ଦ୍ଧା ରେଳପଥ 21 ବର୍ଷ ପରେ ମଧ୍ୟ ସମ୍ପୂର୍ଣ ହୋଇ ପାରିନାହିଁ । ତେବେ ଏହାକୁ ନେଇ ଏହି ଅଞ୍ଚଳ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବଲାଙ୍ଗୀର ବୌଦ୍ଧ ଓ ସୋନପୁର ଜିଲ୍ଲାର ଲୋକଙ୍କୁ ନେଇ ଗଠିତ ହୋଇଛି ଖୋର୍ଦ୍ଧା ବଲାଙ୍ଗୀର ରେଳ ସଂଘର୍ଷ ସମିତି । ଏହି ରେଳ ପଥର କାମ ଶୀଘ୍ର ତରାନ୍ୱୀତ କରି ସମ୍ପୂର୍ଣ୍ଣ କରିବା ଦାବିରେ ଆସନ୍ତା 14 ତାରିଖରେ ଏହି ତିନିଟି ଜିଲ୍ଲାରେ ଆନ୍ଦୋଳନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କହିଛନ୍ତି ।
ସେହିପରି ଏହି ଆନ୍ଦୋଳନ ଓ ଦାବିକୁ ଉଭୟ କଂଗ୍ରେସ ତଥା ବିଜେପି ଦଳ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି । ତେବେ 289 କିମି ବିଶିଷ୍ଟ ଏହି ରେଳ ପଥ କାମ 1994 ରୁ ଆରମ୍ଭ ହୋଇ ଆଜି ଯାଏଁ ମାତ୍ର 91 କିମି କାମ ସମ୍ପୂର୍ଣ ହୋଇ ପାରିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏମଓୟୁ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠି ଆବଣ୍ଟନ ପରେ ମଧ୍ୟ ଏହାର କାମ ଆଗେଇ ପାରି ନାହିଁ । ଯାହାର ମୁଖ୍ୟ କାରଣ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ମଞ୍ଜୁରୀ ନ ମିଳିବା ବୋଲି ସ୍ପଷ୍ଟ ହୋଇଛି । ତେବେ ଆବଶ୍ୟକ ଥିବା ମୋଟ 1844 ଦଶମିକ 40 ଏକର ଜଙ୍ଗଲ ଜମିରୁ 1469 ଦଶମିକ 33 ଏକର ଜମିର ଏଯାଏଁ ମଞ୍ଜୁରୀ ମିଳି ପାରିନାହିଁ ।
ସେପଟେ ନିକଟର କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଜଙ୍ଗଲ ଜମି ମଞ୍ଜୁରୀ ଆବେଦନକୁ ଖାରଜ କରିବା ଆହୁରି ସମସ୍ୟା ସୃଷ୍ଟି କରିଛି । ଏହି ପ୍ରକଳ୍ପ ପାଇଁ ବିଜେପି ଲୋକଙ୍କ ସାଥିରେ ଥିବାର କହିଥିବା ବେଲେ ସବୁ ଦୋଷ ରାଜ୍ୟ ସରକାରଙ୍କ ଉପରେ ଲଦିଛି । ଯେଉଁଥିରେ ଏହି ଆବଶ୍ୟକ ଥିବା ଜଙ୍ଗଲ ଜମିରେ 22 ଟି ହାତୀ ଚଲା ପଥ ଓ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଥିବା ବେଳେ ରାଜ୍ୟ ସରକାର ଏସବୁର ସଠିକ ନିରୂପଣ ନକରି ଉପର ଠାଉରିଆ ଭାବରେ ଜଙ୍ଗଲ ଜମି ମଞ୍ଜୁରୀ ମାଗିବା ଭୁଲ ବୋଲି ବିଜେପି କହିଛି । ବଲାଙ୍ଗୀର ବିଜେପି ଏଥି ପାଇଁ ଆଗକୁ କେନ୍ଦ୍ରମନ୍ତ୍ରୀ ଓ ସରକାରଙ୍କ ଠାରେ ଏହା ପାଇଁ ନିବେଦନ କରିବ ବୋଲି କହିଛି । ସମାନ ଭାବରେ ଆବଶ୍ୟକ ପଡ଼ିଲେ ଏହି ପ୍ରକଳ୍ପ ପାଇଁ ବଲାଙ୍ଗୀର ବିଜେପି ଆନ୍ଦୋଳନ ମଧ୍ୟ କରିବ ବୋଲି କହିଛି । ସେପଟେ ବଲାଙ୍ଗୀର କଂଗ୍ରେସ ଦଳ ଏହି ଆନ୍ଦୋଳନକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି । ବୌଦ୍ଧ ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଏମାନେ ଏହି ସମିତି ସହିତ ଛିଡା ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ କରିବେ ବୋଲି କଂଗ୍ରେସ କହିଛି ।
ଅନ୍ୟପଟେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ପାଇଁ ଏ ଆନ୍ଦୋଳନ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ବଲାଙ୍ଗୀର