ବଲାଙ୍ଗୀର: ଭିଜିଲାନ୍ସ ଜାଲରେ କେନ୍ଦୁପତ୍ର ଡିଏଫଓ । ପିସି ପାଇଁ ଏକ ଲକ୍ଷ 66 ହଜାର ଟଙ୍କା ନେଉଥିବାବେଳେ କେନ୍ଦୁଲିଫ ଡିଏଫଓ ଓ ଅତିରିକ୍ତ ରେଞ୍ଜର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ବଲାଙ୍ଗୀର ପାଟଣାଗଡ଼ କେନ୍ଦୁଲିଫ ଡିଏଫଓ ପ୍ରଣବ ମହାନ୍ତି ଓ ଅତିରିକ୍ତ କେନ୍ଦୁଲିଫ ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ବଲାଙ୍ଗୀର କେନ୍ଦୁଲିଫ ବିଭାଗରେ ବ୍ୟାପକ ପିସି କାରବାର ଗୁମର ଖୋଲିଲେ ନିଜେ ବିଭାଗର କର୍ମଚାରୀ। ତେବେ ବଲାଙ୍ଗୀର ପାଟଣାଗଡ଼ କେନ୍ଦୁଲିଫ ବିଭାଗର ରେଞ୍ଜରଙ୍କୁ ଏଠିକାର ଡ଼ିଏଫଓ ପ୍ରବୀଣ ମହାନ୍ତି ଓ ଅତିରିକ୍ତ ରେଞ୍ଜର ଚିତ୍ତରଞ୍ଜନ ଦେହୁରି ଫଡ଼ି ମରାମତି ବାବଦରେ ଏକ ଲକ୍ଷ 66 ହଜାର ଟଙ୍କା 16 ପ୍ରତିଶତ ପିସି ଆକାରରେ ଲାଞ୍ଚ ମାଗିଥିଲେ।
ଯାହାକୁ ନେଇ ସମ୍ପୃକ୍ତ ପୀଡିତ ରେଞ୍ଜର ବଲାଙ୍ଗୀର ଭିଜିଲାନ୍ସ ପାଖରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ବିଭାଗ ଯୋଜନାବଦ୍ଧ ଭାବରେ ଏ ଦୁଇ ଜଣକୁ ଲାଞ୍ଚ ନେବା ବେଳେ ଗିରଫ କରିଥିଲେ। ତେବେ ଏହି ପିସି କାରବାର ଏଠି ପୂର୍ବରୁ ଥିବାବେଳେ ପୀଡିତ ରେଞ୍ଜର ଅନେକଥର ନିଜ ଜିପିଏଫରୁ ଟଙ୍କା କାଢି ଏମାନଙ୍କୁ ଦେଇଥିବାର ଅଭିଯୋଗ ଆଣିଛନ୍ତି।
ସେପଟେ ଅଭିଯୋଗକାରୀ ରେଞ୍ଜରଙ୍କୁ ପିସି ନଦେଲେ ଚାକିରୀ ନେଇଯିବାର ଧମକ ଦେଇ ଆସୁଥିଲେ କେନ୍ଦୁଲିଫ ଡ଼ିଏଫଓ । ତେବେ ଲାଞ୍ଚ ମାଗୁଥିବାର ଅଭିଯୋଗ ହେବା ପରେ ସମ୍ବଲପୁର ଭିନିଲାନ୍ସ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱ୍ୱବଧାନରେ ଏହି ଚଢ଼ାଉ କରା ଯାଇଥିଲା।
ସମାନ ଭାବରେ ଅଭିଯୁକ୍ତ ଡ଼ିଏଫଓ ପ୍ରବୀଣ ମହାନ୍ତିଙ୍କ ସରକାରୀ କାର୍ଯ୍ୟାଳୟ ଓ ଭୁବନେଶ୍ୱରସ୍ଥିତ ବାସଭବନରେ ଏକକାଳୀନ ଚଢ଼ାଉ ଜାରି ରହିଥିବାବେଳେ ଅତିରିକ୍ତ ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କ ଫୁଲବାଣୀ ସ୍ଥିତ ଘରେ ଓ ଏଠି ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଥିବାର ଭିନିଲାନ୍ସ ଏସପି କହିଛନ୍ତି । ଏନେଇ ଅଧିକ ତଦନ୍ତ ଚାଲିଥିବାବେଳେ ଆଗକୁ ଆହୁରି ତଥ୍ୟ ସାମ୍ନାଖୁ ଆସିବ ବୋଲି ଏସପି କହିଛନ୍ତି ।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ