ବଲାଙ୍ଗୀର: ଜିଲ୍ଲାରେ ଏକ ନଳକୂପରୁ ସୁନା ବାହାରିବା ନେଇ କିଛିଦିନ ଚର୍ଚ୍ଚା ଜୋର୍ ଧରିଥିଲା । ଯାହାପରେ ପ୍ରଶାସନ ସଂପୃକ୍ତ ନଳକୂପକୁ ସିଲ କରି ଅଧିକ ପରୀକ୍ଷା ପାଇଁ ନମୁନା ଲ୍ୟାବକୁ ପଠାଇଥିଲା । ସେପଟେ ଆଜି ଭୂତତ୍ୱ ବିଭାଗର ଅଧିକାରୀମାନେ ଯାଇ ସେଠି ପରୀକ୍ଷା ନିରୀକ୍ଷା କରିଛନ୍ତି । ତେବେ ନଳକୂପରୁ ବାହାରୁଥିବା ଜିନିଷ ସୁନା ନୁହେଁ ବୋଲି ସେମାନେ ପ୍ରାଥମିକ ପରୀକ୍ଷାରୁ ସ୍ପଷ୍ଟ କରିଛନ୍ତି । ନଳକୂପରୁ ବାହାରୁଥିବା ପଦାର୍ଥ ସୁନା ନୁହେଁ, ବରଂ ଅଭ୍ର ବା ମାଇକା ଧାତୁ ବୋଲି ପ୍ରାଥମିକ ପରୀକ୍ଷାରେ ଜାଣିବାକୁ ପାଇଛନ୍ତି ।
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୂପଲା ପଞ୍ଚାୟତର ଛଞ୍ଚାଣ ପାଲି ଗ୍ରାମର ଜଣେ ଜମି ମାଲିକ ମହମ୍ମଦ ଜାବେଦଙ୍କ ଜମିରେ ଏହି ନଳକୂପ ଖୋଳା ଯାଇଥିଲା । ନଳକୂପ ମାଟିରୁ କିଛି ହଳଦିଆ ଚିକ୍ ଚିକ୍ ଜିନିଷ ବାହାରୁଥିବା ବେଳେ ତାହା ସୁନା କଣିକା ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ । ଏହାପରେ ଏନେଇ ସ୍ଥାନୀୟ ପ୍ରଶାସନକୁ ସୂଚନା ମଧ୍ୟ ଦେଇଥିଲେ । ସେପଟେ ଖପ୍ରାଖୋଲ ତହସିଲଦାର ଓ ପୋଲିସ୍ ଯାଇ ସଂପୃକ୍ତ ନଳକୂପକୁ ସିଲ୍ କରିଥିଲେ । ଏହା ସହିତ କିଛି ମାଟି ନମୁନା ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଇଥିଲେ । ସେପଟେ ପ୍ରଶାସନର ନିର୍ଦ୍ଦେଶ ପରେ ଆଜି ଜିଲ୍ଲା ଭୂତତ୍ବ ବିଭାଗ ସଂପୃକ୍ତ ସ୍ଥାନରେ ପହଞ୍ଚିଥିଲେ । ସେମାନେ ନଳକୂପ ମାଟିକୁ ଯାଞ୍ଚ କରିଥିଲେ । ତେବେ ଏହା ସୁନା ଭଳି କୌଣସି ଜିନିଷ ନୁହେଁ ବୋଲି ସେମାନେ ସ୍ପଷ୍ଟ କରିଥିବା ବେଳେ ଏହା ଅଭ୍ର ଧାତୁ ବା ମାଇକା ବୋଲି ପ୍ରାଥମିକ ପରୀକ୍ଷାରୁ ଜଣା ପଡିଥିବାର କହିଛନ୍ତି ।
ତେବେ ଜମି ମାଲିକ ଜାବେଦ ପ୍ରଥମରୁ ଏହାକୁ କିଛି ଚିକ୍ଚିକ୍ ସୁନା ଭଳି ଜିନିଷ କହିଥିବା ବେଳେ ଅଧିକ ପରୀକ୍ଷା ଆବ କରିଥିଲେ ବୋଲି କହିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲା ଭୂତତ୍ତ୍ଵ ବିଭାଗ ନିର୍ଦ୍ଦେଶକ ନିର୍ମେଳେନ୍ଦୁ ସିଂହଦେଓ କହିଛନ୍ତି, "ଆମେ ପ୍ରଶାସନଠାରୁ ଖବର ପାଇବା ପରେ ଏଠାକୁ ଆସିଥିଲୁ । ସଂପୃକ୍ତ ନଳକୂପ ମାଟିକୁ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରିଥିଲୁ ।" ତେବେ ଆଖିକୁ ଏହା ସୁନା ଭଳି ଦେଖା ଯାଉ ନଥିବା ସେ କହିଛନ୍ତି । ସେହିପରି ଏଠିକାର ନମୁନା ସଂଗ୍ରହ କରାଯାଇଛି ଓ ଅଧିକ ପରୀକ୍ଷା ପରେ ସବୁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ତେବେ ପ୍ରାଥମିକ ପରୀକ୍ଷାରେ ଏହା ମାଇକା ଧାତୁ ବା ଅଭ୍ର ବୋଲି ସେ କହିଛନ୍ତି । ସେପଟେ ଏଠି ସୁନା ବାହାରୁଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ବଲାଙ୍ଗୀର