ବଲାଙ୍ଗୀର: ଋଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଏବଂ ୟୁକ୍ରେନର ରାଜଧାନୀ କିଭକୁ ଚାରିପଟରୁ ଘେରି ରଖିଛି । ଅନ୍ୟପଟେ ଏଠି ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ଏବେ ୟୁକ୍ରେନ ଓ ପୋଲାଣ୍ଡ ସୀମାରେ ପ୍ରବଳ ଥଣ୍ଡାରେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ।
ଏପରିକି ଶତାଧିକ ଭାରତୀୟ ଛାତ୍ରଛାତ୍ରୀ ଏବେ ପୋଲାଣ୍ଡ ଓ ୟୁକ୍ରେନ ସୀମାରେ ବିଯୁକ୍ତ ୨ ଡିଗ୍ରୀ ତାପମାତ୍ରାରେ ଫସିରହିଥିବାର ଜଣାପଡ଼ିଛି । ତେବେ ୟୁକ୍ରେନ ନାବିବ ରାଜ୍ୟରେ ଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ପୋଲାଣ୍ଡର ଭାରତୀୟ ସମୂହ ପୋଲାଣ୍ଡ ଆସିବା ପାଇଁ ସୂଚନା ଦେଇଥିଲେ । ଯାହାପରେ ଏଠି ଅଧ୍ୟୟନରତ ଛାତ୍ରଛାତ୍ରୀ ନିଜସ୍ୱ ଖର୍ଚ୍ଚରେ ଗାଡ଼ି ଯୋଗାଡ କରି ୟୁକ୍ରେନ ଓ ପୋଲାଣ୍ଡ ସୀମା ସ୍ଲିଯିସ୍କି ପାଖକୁ ଯିବା ପାଇଁ ବାହାରି ଆସିଥିଲେ ।
ହେଲେ ରାସ୍ତାରେ ଟ୍ରାଫିକ ଜାମ ଯୋଗୁଁ ସେମାନେ ଗନ୍ତବ୍ୟ ସ୍ଥଳକୁ ୨୫ରୁ ୩୦ କି.ମି ଚାଲିଚାଲି ଆସିଥିଲେ ଏବଂ ଏଠି ଆସିବା ପରେ ତାଙ୍କୁ କେହି ଉଦ୍ଧାର କରୁନଥିବାର ଏମାନେ ଭିଡିଓ ମାଧ୍ୟମରେ ଜଣାଇଛନ୍ତି । ତେବେ ଏହି ସୀମାରେ ତୁଷାରପାତ ଓ ବିଯୁକ୍ତ ତାପମାନରେ ଏମାନେ ଫସିଥିବା ବେଳେ ତାଙ୍କୁ ଶୀଘ୍ର ଉଦ୍ଧାର କରାଯାଉ ବୋଲି ଅପିଲ କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ