ବଲାଙ୍ଗୀର: ସାତ ଜନ୍ମର ସାଥି ହେବାକୁ ପ୍ରତିଶ୍ରୁତି ଦେଇ କରିଥିଲା ପ୍ରେମ ବିବାହ । ହେଲେ ପାରିବାରିକ କଳହ ଯୋଗୁଁ ସେହି ସ୍ବାମୀ ଆଜି ନୃଶଂସ ପାଲଟି ଯାଇଛି । ସ୍ତ୍ରୀକୁ ହତ୍ୟା କଲା ସଇତାନ ସ୍ବାମୀ, ପରେ ପ୍ରମାଣ ନଷ୍ଟ ପାଇଁ ସମ୍ପର୍କୀୟଙ୍କ ସହ ମିଶି ପୋଡ଼ିଦେଲା । ମହିିଳାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ସତ ସାମ୍ନାକୁ ଆସିଛି । ମୃତ ମହିଳା ଜଣକ ହେଉଛନ୍ତି ଚୁଳବତୀ ସାହୁ । ବଲାଙ୍ଗିର ଜିଲ୍ଲା ପୁତୁଲାମହୁଲ ଗ୍ରାମରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀ ସହ ୩ ଜଣଙ୍କୁ ଗିରଫ କରିଛି ।
ଅଭିଯୋଗ ଅନୁସାରେ, ଗତ 16 ତାରିଖରେ ଚୁଳବତୀଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ଘର ଲୋକେ କୌଣସି ସୂତ୍ରରୁ ଖବର ପାଇଥିଲେ । ଏହାପରେ ସଙ୍ଗେସଙ୍ଗେ ପୁତୁଳାମହୁଲ ଗାଁରେ ପହଞ୍ଚି ତାଙ୍କ ଝିଅକୁ ଦେଖିବାକୁ କହିଥିଲେ । କିନ୍ତୁ ବିଭିନ୍ନ ବାହାନା ଦେଖାଇ ଝିଅକୁ ଦେଖାଇ ନଥିଲେ ପୁଅ ଘର ଲୋକେ । ଏପରିକି ଝିଅକୁ ଝାଡ଼ା ବାନ୍ତି ହୋଇଛି ଏବଂ ସେମାନେ ବୁର୍ଲା ଡାକ୍ତରଖାନା ଯାଇଥିବାର କହିଥିଲେ । ଏଥିରେ ସନ୍ଦେହ ଆହୁରି ବଢ଼ିବାରୁ ଚୁଳବତୀଙ୍କ ବାପା ଖପ୍ରାଖୋଲ ଥାନାକୁ ଆସି ଝିଅର ନିଖୋଜ ଓ ହତ୍ୟା ଅଭିଯୋଗ କରିଥିଲେ l ପୋଲିସ ଘଟଣାକୁ ଗୁରୁତ୍ବର ସହକାରେ ନେଇ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ସ୍ଵାମୀ ତେଜରାଜ ସାହୁ, ତାଙ୍କ ବଡ଼ ଭାଇ ଟିକେଲାଲ ସାହୁ ଏବଂ ସମ୍ପର୍କୀୟ ଗୁଣନିଧି ସାହୁଙ୍କୁ ଗିରଫ କରି ପୋଡ଼ି ଦେଇଥିବା ମୃତ ଶରୀରର ହାଡ଼ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ l
ତେବେ ଗତ 9 ବର୍ଷ ତଳେ ଖପ୍ରାଖୋଲ ଥାନା ପୁତୁଳାମହୁଲ ଗାଁର ତେଜରାଜ ସାହୁ ତାମିଲନାଡୁକୁ ଦାଦନ ଖଟବାକୁ ଯାଇଥିଲେ l ପୂର୍ବରୁ ସେଠାକୁ ଖପ୍ରାଖୋଲ ଥାନା କିନ୍ଦ୍ରିର୍ଟାଲ ଗାଁର ଚୁଳବତୀ ଭୋଇ ମଧ୍ୟ ଦାଦନ ଯାଇଥିଲେ l ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁହେଁ ପ୍ରେମ ବିବାହ କରି ପୁତୁଳାମହୁଲ ଗାଁକୁ ଆସି ସଂସାର ଆରମ୍ଭ କରିଥିଲେ । ତାଙ୍କର 4 ବର୍ଷର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି l ହେଲେ ଘରୋଇ କଳହରୁ ଗତ 16 ତାରିଖରେ ସ୍ତ୍ରୀ ଚୁଳବତୀକୁ ହତ୍ୟା କରି ପୋଡି ଦେଲା ସ୍ଵାମୀ ତେଜରାଜ । ତେବେ ମୃତ ମହିଳାଙ୍କ ସମ୍ପର୍କୀୟ ଭାଇ ପରମେଶ୍ବର ଭୋଇ କହିଛନ୍ତି ଯେ, "ଘଟଣା ଦିନ ଝିଅକୁ ତାଙ୍କ ସ୍ବାମୀ ତେଜରାଜ୍ ସାହୁ ମାଡ଼ ମାରିଥିବାର ଖବର ପାଇଥିଲୁ । ଝିଅର ହାଲଚାଲ ଜାଣିବାକୁ ପରିବାର ଲୋକେ ଗାଁକୁ ଆସିଥିଲୁ । ହେଲେ ପୁଅ ଘର ଲୋକେ ଏପଟ ସେପଟ କଥା କହିଥିଲେ । ଏପରିକି ଝିଅ ଅସୁସ୍ଥ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କହିଥିଲେ । ଏହାକୁ ନେଇ ଏମାନେ ସନ୍ଦେହ କରିବା ସହ ସ୍ଥାନୀୟ ଖପ୍ରାଖୋଲ ପୋଲିସ ପାଖରେ ଅଭିଯୋଗ କରିଥିଲୁ । ପୋଲିସ ତଦନ୍ତ ପରେ ଘଟଣା ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ସ୍ବାମୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଠୋର ଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର