ବଲାଙ୍ଗୀର: ଆଜିର ନାରୀ ଆଉ ଚାରି କାନ୍ଥରେ ଆବଦ୍ଧ ନରହି ନିଜ ଭାଗ୍ୟ ନିଜ ହାତରେ ଲେଖିବାରୁ ବିଶ୍ବାସ ରଖନ୍ତି । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବଲାଙ୍ଗୀର ଜିଲ୍ଲା ବାସିନ୍ଦା ଆରତୀ ଜୈଶ୍ୱାଲ । ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଗୃହିଣୀରୁ ସେ ଆଜି ପ୍ରଶାସନିକ ଅଧିକାରୀ ହୋଇପାରିଛନ୍ତି । ୨୦୨୧ ପ୍ରଶାସନିକ ସେବା ପରୀକ୍ଷାରେ ୪୨୫ ନମ୍ବର ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ପାରିବାରିକ ଜଞ୍ଜାଳରୁ ବାହାରି ନିଜ ସ୍ବପ୍ନକୁ ପୂରଣ କରିଛନ୍ତି ଆରତୀ ଜୈଶ୍ୱାଲ ।
ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଳା ବ୍ଲକ ତୁସୁରା ଏନଏସି ବାସିନ୍ଦା ମହିଳା ଆରତୀ ଜୈଶ୍ବାଲ । ସ୍ୱାମୀ ଅଜୟ କୁମାର ଜୈଶ୍ୱାଲ ଜଣେ ଜଣାଶୁଣା ରାଜନେତା । ଏଥର ସେ ତୁସୁରା ଏନଏସି ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଆରତୀଙ୍କ ଏକ ଝିଅ ମଧ୍ୟ ରହିଛି । ସେ ଜଣେ ଗୃହିଣୀ ଭାବେ ନିଜ ଜୀବନ ଶୈଳୀ ବିତାଉଥିଲେ । ହେଲେ ସମାଜସେବା କରିବା ଲାଗି ତାଙ୍କର ଢେର ଆଗ୍ରହ ରହିଥିଲା । ପ୍ରଶାସନିକ ଅଧିକାରୀ ହୋଇ ଲୋକଙ୍କ ସେବା କରିବାକୁ ସେ ସ୍ୱପ୍ନ ଦେଖିଥିଲେ । ଆଏଏସ ଓ ଓଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ନିଶ୍ଚିତ କରିଥିଲେ । ହେଲେ ତାଙ୍କ ସମ୍ମୁଖରେ ବାଧା ଥିଲା ପାରିବାରିକ ଜଞ୍ଜାଳ । କିନ୍ତୁ ପରିବାର ଲୋକେ ତାଙ୍କ ସ୍ବପ୍ନରେ ବାଧକ ନସାଜି ତାଙ୍କୁ ସହଯୋଗ କରିଥିଲେ । ଘରେ ରହି ପରୀକ୍ଷା ପ୍ରସ୍ତୁତି କରିଥିଲେ । ମାତ୍ର ଏଥିରେ ସେ ଚାରିଥର ବିଫଳ ହୋଇଥିଲେ । ଶେଷରେ ଭୁବନେଶ୍ୱର ଯାଇ ପାଠ ପଢ଼ିବାକୁ ସେ ନିଶ୍ଚିତ କଲେ । ଘରେ ସ୍ୱାମୀ ଓ ଛୋଟ ଝିଅକୁ ଛାଡି ସେ ଭୁବନେଶ୍ବର ଯାଇ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କଲେ । କଠିନ ପରିଶ୍ରମ ବଳରେ ସେ ଆଜି ଏହି ସଫଳତା ହାସଲ କରିଛନ୍ତି । ଯାହାକୁ ନେଇ ତାଙ୍କ ପରିବାରରେ ଖୁସିର ମାହୋଲ ।
ଏହା ମଧ୍ୟ ପଢ଼ନ୍ତୁ: OAS ହେଲେ ସେବାୟତ ପରିବାରର ଦାୟାଦ, ୨ କୃତିଙ୍କୁ ସମ୍ବର୍ଦ୍ଧିତ କଲେ ଗଜପତି
ସଫଳତା ନେଇ ଆରତୀ କହିଛନ୍ତି, "ଘର ଛାଡ଼ି ଝିଅ ଓ ପରିବାର ଲୋକଙ୍କ ଠାରୁ ଅଲଗା ରହିବାର କଷ୍ଟ ବହୁତ ଅଧିକ ଥିଲା । କିନ୍ତୁ ପରିବାର ଠାରୁ ମିଳିଥିବା ସହଯୋଗ ପାଇଁ ଏହି ଯାତ୍ରାକୁ ସଫଳ କଲା । ଏହାର ଶ୍ରେୟ ସ୍ୱାମୀ, ଝିଅ ସମେତ ପୁରା ପରିବାରକୁ ଦେବି । ସବୁ ସମୟରେ ସ୍ବାମୀ ମୋ ମନୋବଳ ବଢ଼ାଇଥିଲେ । ତାଙ୍କ ସାହାଯ୍ୟ ସହଯୋଗ ବିନା ଏହା ସମ୍ଭବ ହୋଇ ପାରିନଥାନ୍ତା ।" ଆଜିର ନାରୀ କର୍ମଠ, ଆତ୍ମନିର୍ଭରଶୀଳା ଓ ସାହାସୀ । ସାମାଜିକ ଶିକୁଳିରୁ ମୁକ୍ତ ହୋଇ ଆଜିର ଇତିହାସ ରଚୁଛନ୍ତି । ଯାହାକୁ ପ୍ରମାଣିତ କରିଛନ୍ତି ଆରତୀ ଜୈଶ୍ବାଲ । ଅନେକ ସଂଘର୍ଷ କାହାଣୀ ମଧ୍ୟରେ ଜଣେ ଗୃହିଣୀରୁ ଓଏଏସ ହେବାର ଆରତୀଙ୍କ ଏହି ଯାତ୍ରା ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ନିଶ୍ଚୟ ।
ଇଟିଭି ଭାରତ, ବଲାଙ୍ଗୀର