ବଲାଙ୍ଗୀର: ଜଙ୍ଗଲି ବାବୁଙ୍କ ଜଙ୍ଗଲ ରାଜ୍ । ପାହାଡ ଜଙ୍ଗଲରେ ଘେରା ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଧନ ସଂରକ୍ଷିତ ଜଙ୍ଗଲରେ ଦାୟିତ୍ବରେ ଥିବା ରେଞ୍ଜର ବେଆଇନ ଭାବରେ ରାସ୍ତା ନିର୍ମାଣ କରିଥିବାର ଅଭିଯୋଗ ହୋଇଛି । ପ୍ରଶାସନର ନିୟମ କାନୁନକୁ ଦଳି ମକଚି ଚଳାଇଛନ୍ତି ମନମାନି । ବେଆଇନ୍ ଭାବେ ସଂରକ୍ଷିତ ଜଙ୍ଗଲରୁ ମାଟି ଉଠାଇ ତିଆରି କରିଛନ୍ତି ରାସ୍ତା । ଏପରିକି ଜଙ୍ଗଲରୁ ମାଟି ଉଠାଇବା ପାଇଁ ତହସିଲଦାରଙ୍କ ଠାରୁ ଅନୁମତି ମଧ୍ୟ ନିଆଯାଇ ନାହିଁ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ରେଞ୍ଜରଙ୍କ ବିରୋଧରେ । ସୂଚନାନୁସାରେ ମନରେଗା ଯୋଜନାରେ ହରିଶଙ୍କର ଠାରୁ ସାପ ମୁଣ୍ଡ ଅଞ୍ଚଳର ପ୍ରାୟ ୧୫ କିମି ଜଙ୍ଗଲ ରାସ୍ତାର ଉନ୍ନତିକରଣ କରିଛି ବନ ବିଭାଗ ।
ଆଉ ଏଥିପାଇଁ ୧୩ ଲକ୍ଷ ୭୧ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି । ହେଲେ ଏଥିରେ ମେସିନ, ଟ୍ରାକ୍ଟର ବ୍ୟବହାର କରି ଶ୍ରମିକଙ୍କ ଟଙ୍କା ହଡ଼ପ କରାଯାଇଛି । ସଂରକ୍ଷିତ ଜଙ୍ଗଲରୁ ବେଆଇନ୍ ଭାବେ ମାଟି ଉଠା ଯାଇ ଥିବାରୁ ସେଠାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଯାହା ଫଳରେ ଜଙ୍ଗଲି ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ରହିଛି। ଗନ୍ଧମାର୍ଦନ ଜଙ୍ଗଲରେ ପ୍ରାକୃତିକ ସମ୍ପଦ ଭରପୂର । କିନ୍ତୁ ଖପ୍ରାଖୋଲ ରେଞ୍ଜର ଶ୍ରୀବତ୍ସ କୁମୁରାଙ୍କ ମନମାନି ଯୋଗୁଁ ପ୍ରାକୃତିକ ଶୋଭା ରାଜି ନଷ୍ଟ ହେବାରେ ଲାଗିଛି । ତାଙ୍କ ନିର୍ଦ୍ଦେଶରେ ଜଙ୍ଗଲରୁ ବେଆଇନ୍ ମାଟି ଉଠାଇ ରାସ୍ତା ନିର୍ମାଣ କରି ଜୀବଜନ୍ତୁଙ୍କୁ ମରଣ ମୁଁହକୁ ଠେଲି ଦିଆ ଯାଇଛି ।
ସେପଟେ ଏନେଇ ତଦନ୍ତ କରିବାକୁ କହିଛନ୍ତି ବଲାଙ୍ଗିର ଡିଏଫ୍ଓ(DFO) ନୀତିଶ କୁମାର । ଏପରିକି ନିଜେ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରି ପଦକ୍ଷେପ ନେବାକୁ ସେ ପ୍ରତିକ୍ରିୟାରେ କହିଛନ୍ତି । ତେବେ ସଂରକ୍ଷିତ ଜଙ୍ଗଲରେ ସାଧାରଣ ଲୋକ ମାଟି କିମ୍ବା ବାଲି ଉଠାଇଲେ ତା ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ହେଲେ ହେଲେ ଖୋଦ୍ ବନ ବିଭାଗ ଅଧିକାରୀ ଏଭଳି କାର୍ଯ୍ୟ କରିଛନ୍ତି ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ