ବଲାଙ୍ଗୀର: ଜିଲ୍ଲା ସଇଁତଳା ବ୍ଲକରେ ପିଇବା ପାଣି ପାଇଁ ହନ୍ତସନ୍ତ ଅଞ୍ଚଳବାସୀ । ପାନୀୟ ଜଳ ପ୍ରକଳ୍ପର ଉଦ୍ଘାଟନ ପରେ ମଧ୍ୟ ମିଳୁନି ପାଣି । ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପିଇବା ପାଣିର ଅନେକ ପ୍ରକଳ୍ପ ଉଦଘାଟନ ସରିଥିଲେ ସୁଦ୍ଧା ଲୋକେ ପିଇବା ପାଣି ପାଇ ପାରୁନଥିବା ଅଭିଯୋଗ ହୋଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ସଇଁତଳା ଚମରା ପଡ଼ା ଦୁଙ୍ଗୁରି ଠାରେ 66 ଲକ୍ଷରୁ ଊର୍ଦ୍ଧ୍ବ ବ୍ୟୟରେ ପିଇବା ପାଣି ପ୍ରକଳ୍ପ ନିର୍ମାଣ ହୋଇଥିଲା । ଯାହାର ଉଦ୍ଘାଟନ ଗତ ଜୁନ ମାସ 2021ରେ ମନ୍ତ୍ରୀ ଟୁକୁନି ସାହୁ କରିଥିଲେ । କେବଳ ଉଦଘାଟନ ଦିନ ପାଣି ପାଇଥିଲେ ଅଞ୍ଚଳବାସୀ ତା' ପରଠୁ ଅଚଳ ହୋଇ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ । ସେପଟେ ନିର୍ବାଚନ ପାଇଁ ପ୍ରକଳ୍ପ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ନହୋଇ ତାକୁ ତରବରିଆ ଭାବରେ ଉଦ୍ଘାଟନ କରିଦିଆଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯାହାର ପରିଣାମ ସ୍ୱରୂପ ପିଇବା ପାଣି ମିଳୁନଥିବା କହିଛନ୍ତି ।
ଏହିପରି ଭାବରେ କୋଟି କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିରହିଛି । ତାହା ପୁଣି ଖୋଦ ମନ୍ତ୍ରୀ ଟୁକୁନି ସାହୁଙ୍କ ନିର୍ବାଚନ ମଣ୍ଡଳୀରେ । ତୁରନ୍ତ ସମସ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।
ଇଟିଭି ଭାରତ, ବଲାଙ୍ଗୀର