ବଲାଙ୍ଗୀର: ସିନ୍ଧେକେଲା ଗ୍ରାମରେ ବ୍ୟାପିଛି ଝାଡାବାନ୍ତି ରୋଗ। ଦଶ ଦିନ ମଧ୍ୟରେ 65ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା । ସେପଟେ ସ୍ଥିତି ଅନୁଧ୍ୟାନ ଓ ଯାଞ୍ଚ ପାଇଁ ଭୁବନେଶ୍ୱରରୁ ଦୁଇ ଜଣିଆ ଡାକ୍ତରୀ ଦଳ ଗାଁରେ ପହଞ୍ଚି କଲେ ସ୍ଥିତି ସମୀକ୍ଷା । ପିଇବା ପାଣିରୁ ହିଁ ରୋଗ ବ୍ୟାପିଥିବାର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କଲା ଡାକ୍ତରୀ ଟିମ୍ ।
ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଞ୍ଚାୟତରେ ଝାଡା ବାନ୍ତି ରୋଗ ବ୍ୟାପିଛି। ତେବେ ବିଗତ 10 ଦିନ ମଧ୍ୟରେ 65ରୁ ଉର୍ଦ୍ଧ୍ବ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାର ଡାକ୍ତର ସୂଚନା ଦେଇଛନ୍ତି । ତେବେ ମୃତ 2 ମହିଳା ହୋଇଥିବା ବେଳେ ଜଣଙ୍କ ନାଁ ମମତା କହଁର ଓ ଆଉ ଜଣେ ସୁଶୀଳା ଚନ୍ଦନ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ପ୍ରଥମେ ଏହି ପଞ୍ଚାୟତର ତେଲେଇ ସର ଗ୍ରାମରୁ ଏହି ଝାଡାବାନ୍ତି ରୋଗ ବ୍ୟାପିଥିଲା। ପ୍ରଶାସନ ତଥା ଡାକ୍ତରୀ ଟିମ୍ ଗାଁକୁ ଯାଇ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସେହିପରି ଆକ୍ରାନ୍ତ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ହେଲେ ଏହା ସତ୍ତ୍ଵେ ଏହି ଖଡାବାନ୍ତି ରୋଗ ଆହୁରି ବ୍ୟାପିବା ସହ ସିନ୍ଧେକେଲା ଗ୍ରାମରେ ମଧ୍ୟ ବ୍ୟାପିଥିଲା ।
ଅଧିକ ପଢନ୍ତୁ.. ବଲାଙ୍ଗୀରରେ ବ୍ୟାପିଲା ଝାଡ଼ାବାନ୍ତି: 3 ମୃତ, ଅନେକ ଆକ୍ରାନ୍ତ
ତେବେ ଭୁବନେଶ୍ୱରରୁ ଆସିଥିବା ଦୁଇ ଜଣିଆ ଡ଼ାକ୍ତର ଟି ର ଜଣେ ଡ଼ାକ୍ତର ସୁରଜିତ ଗରାବାଦୁ କହିଛନ୍ତି, ‘‘ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ସେମାନେ ଦୁଇ ଜଣିଆ ଟିମ ଏଠିକୁ ଆସିଛନ୍ତି । ଏବଂ ତାଙ୍କ ସହ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ତିନି ଜଣିଆ ଡାକ୍ତରୀ ଦଳ ମଧ୍ୟ ଏଠି ଆସି ପହଞ୍ଚିଛନ୍ତି । ତେବେ ସେମାନେ ସ୍ବାସ୍ଥ୍ୟ କେନ୍ଦ୍ର ସଂପୃକ୍ତ ଗାଁ ବୁଲି ଆକ୍ରାନ୍ତ ଲୋକଙ୍କ ସହ ଆଲୋଚନା କରି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ। ଗାଁ ଲୋକେ କୂଅ ପାଣି ଉପରେ ନିର୍ଭର କରୁଥିବା ବେଳେ ପାଣି ଯୋଗୁଁ ହିଁ ଏହି ରୋଗ ବ୍ୟାପିଛି । ତେଣୁ ଲୋକଙ୍କୁ ପାଣି ଫୁଟାଇ ଛାଣି ପିଇବା ସହ ହାତ ବାରମ୍ବାର ଧୋଇବାକୁ ପରାମର୍ଶ ଦିଆଯାଇଛି । ଗାଁରେ ମୋଟ 65 ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସେଥିମଧ୍ଯରୁ ଏବେ ମେଡିକାଲରେ 7 ଜଣ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଆକ୍ରାନ୍ତଙ୍କ ସୁସ୍ଥ ହେଇଛନ୍ତି ।’’
ଇଟିଭି ଭାରତ, ବଲାଙ୍ଗୀର