ବଲାଙ୍ଗୀର : ବଲାଙ୍ଗୀରରେ ଡରାଇଲାଣି ଡାଇରିଆ । ଜିଲ୍ଲା ଲାଠର ଥାନା ଅନ୍ତର୍ଗତ ଦେଦର୍ହା ଗ୍ରାମରେ ଗତକାଲି(ରବିବାର)ଠାରୁ ଝାଡାବାନ୍ତି ବ୍ୟାପିଛି । ଫଳରେ ଏଥିରେ 25ରୁ ଊର୍ଦ୍ଧ୍ବ ଜଣ ଗୁରୁତର ହୋଇ ଚିକିତ୍ସା ହେଉଛନ୍ତି । ଅନ୍ୟପଟେ ଗୋଟିଏ ପରିବାର ଆଈ, ନାତିଙ୍କର ଏଥିରେ ମୃତ୍ୟୁ ହୋଇଥିଲା । ସେପଟେ ଏହି ଘଟଣା ପରେ ଆଜି ଜିଲ୍ଲା ପ୍ରଶାସନ ଓ ନିଜେ ଜିଲ୍ଲାପାଳ ସମ୍ପୃକ୍ତ ଗାଁକୁ ଯାଇ ସ୍ଥିତି ପରଖିଛନ୍ତି ।
ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବାସହ ପରିବାରକୁ ୧୫ହଜାର ଟଙ୍କା ଲେଖାଏଁ ମୋଟ 30 ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ସେହିପରି ଗାଁରେ ମେଡିକାଲ୍ ଟିମ୍ ଗ୍ରାମ୍ୟ ଜନ ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ବ୍ଲକ ପ୍ରଶାସନ ମହଜୁଦ ରହି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥାର ଯାଞ୍ଚ ଜାରି ରହିଛି । ସେପଟେ ନୂଆଁଖାଇରେ କିଛି ବାସୀଖାଦ୍ୟ ଖାଇବାରୁ ଏହି ସ୍ଥିତି ଉପୁଜିଥିବାର ଜିଲ୍ଲାପାଳ କହିଛନ୍ତି । ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ଗାଁରେ ଥିବା ନଳକୂପରୁ ପାଣିର ନମୁନା ସଂଗ୍ରହ କରାଯାଇଥିବା ବେଳେ ଗାଁରେ ଫୁଡପଏଜନ ହୋଇଥିବା ସନ୍ଦେହ କରାଯାଉଛି । କିଛି ରୋଗୀଙ୍କୁ ଘରେ ରଖି ଚିକିତ୍ସା କରାଯାଉଥିବା ବେଳେ ଆଉ କିଛି ଗୁରୁତର ରୋଗୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଭୟଭୀତ ନହେବାକୁ ଜିଲ୍ଲାପାଳ ସମସ୍ତଙ୍କୁ କହିଛନ୍ତି । ଜିଲ୍ଲାପାଳ କହିଛନ୍ତି, "ପାଖାପାଖି ୫ଟି ପରିବାରର ଲୋକେ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ କିଛି ମାତ୍ରାରେ ସୁସ୍ଥ ହୋଇଛନ୍ତି ଆଉ କିଛି ଏବେ ବି ଅସୁସ୍ଥ ଅଛନ୍ତି । ତେବେ ଭୟ କରିବାର କୌଣସି କାରଣ ନାହିଁ । ଏହା ସହଜରେ ଚିକିତ୍ସା ହୋଇ ପାରୁଛି । ତହସିଲ ଟିମ, ଡବ୍ଲୁଏସ ଟିମ ପ୍ରମୁଖ ଏଠାରେ ଅଛନ୍ତି । ସରପଞ୍ଚ ବି ଭଲଭାବେ ତଦାରଖ କରୁଛନ୍ତି । ଏହାସହ ଯେଉଁ ପ୍ରକାରର ଏଠାରେ ସହଯୋଗ ଦରକାର ହେବ ତୁରନ୍ତ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଦିଆଯିବ । ତେଣୁ ଏବେ ଏହା ନିୟନ୍ତ୍ରଣରେ ଅଛି । ଆଗକୁ ଯେପରି ଏହା ଯେମିତି ନବ୍ୟାପିବ ସେଥିପ୍ରତି ସଚେତନ ରହିବା ଆବଶ୍ୟକ । ସମସ୍ତେ ପାଣି ଫୁଟାଇ ତାକୁ ପାନୀୟ ଜଳ ଭାବେ ବ୍ୟବହାର କରନ୍ତୁ । ହାତକୁ ବାରମ୍ବାର ଧୁଅନ୍ତୁ, ଲୁଗା ପଟା ଖରାରେ ଶୁଖାନ୍ତୁ । ଅଞ୍ଚଳରେ ଭୋଜି ଭାତ ଏବଂ ଫାଷ୍ଟଫୁଡ ସେଣ୍ଟରକୁ ବନ୍ଦ କରାଯାଉ ।"
ଇଟିଭି ଭାରତ, ବଲାଙ୍ଗୀର