ବଲାଙ୍ଗୀର: ବଲାଙ୍ଗୀର ପୋଲିସକୁ ସଫଳତା । ଗତକାଲି(ଗୁରୁବାର) ବଡ଼ ଡ଼କାୟତି ଯୋଜନା ପଣ୍ଡ କରିବା ସହ ପାଞ୍ଚ ଜଣ ପେଶାଦାର ଡକାୟତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସର ସ୍ବତନ୍ତ୍ର ଟିମ୍ । ଏମାନେ ପୂର୍ବରୁ ଜିଲ୍ଲା ଓ ଜିଲ୍ଲା ବାହାରେ ଅନେକ ବଡ଼ ଡ଼କାୟତି ମାମଲାରେ ଜଡିତ ଥିଲେ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସଡିପିଓ ତୁଫାନ ବାଗ ।
ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି,‘‘ ବଲାଙ୍ଗୀର ପୋଲିସ୍ ପାଞ୍ଚ ଜଣ ପେଶାଦାର ଡ଼କାୟତଙ୍କ ଧରିଛି । ବଲାଙ୍ଗୀରରେ ଏକ ବଡ଼ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏମାନଙ୍କୁ ଧରିଛି । ବଲାଙ୍ଗୀର ରେଳଷ୍ଟେସନ ନିକଟରେ ଏମାନେ ଏହି ଡ଼କାୟତି ଯୋଜନା କରୁଥିଲେ । ହେଲେ ସେମାନେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ବେଳ ସଫଳତାର ସହ ସେମାନଙ୍କୁ ଗିରଫ କରାଯାଇଛି । ପୋଲିସର ସ୍ବତନ୍ତ୍ର ଟିମ୍ ସେମାନଙ୍କୁ ଧରିବା ସହ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଓ ବାଇକ୍ ଜବତ କରିଛି । ଗିରଫ ହୋଇଥିବା ଡକାୟତମାନଙ୍କ ମଧ୍ୟରେ ସୋନପୁର ସହର ଝୁପୁଡ଼ି ପଡ଼ାର ରାଜା ଏଲିୟାସ ବିଶ୍ୱଜିତ ମହାନନ୍ଦ, ସିଦ୍ଧାନ୍ତ ଖୁରା, ସୋନପୁର ତାଳପାଲି ପଡ଼ାର ବିକାଶ କୁମାର ସାହୁ, ସୋନପୁର ବିଷ୍ଣୁମୁଣ୍ଡାର ସାଗର ଠେଟୁଆ ଓ ରବୀନ୍ଦ୍ର ପ୍ରସାଦ ସୁରୁଜାଲ ।’’
ତେବେ ବିଶ୍ୱଜିତ୍ ମହାନନ୍ଦ ବଲାଙ୍ଗୀର ସହରର ଅନେକ ଚେନ୍ ଚୋରିରେ ମଧ୍ୟ ସଂପୃକ୍ତି ଥିଲା । ସେହିପରି ଏହି ଦଳ ବରଗଡ଼ ସମ୍ବଲପୁର ଓ ସୋହେଲା ଅଞ୍ଚଳରେ ଅନେକ ପେଟ୍ରୋଲ ପମ୍ପ ଡକାୟତି ମାମଲାରେ ମଧ୍ୟ ଜଡ଼ିତ ଥିବାର ପୋଲିସ୍ ଏସଡିପିଓ ତୁଫାନ ବାଗ କହିଛନ୍ତି । ଏମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ସେହିପରି ଏଥିରେ ଜଣେ ଫେରାର ଥିବା ବେଳେ ତାକୁ ମଧ୍ୟ ପୋଲିସ୍ ଶୀଘ୍ର ଧରିବ ବୋଲି ଏସଡିପିଓ କହିଛନ୍ତି ।
ଏହା ବି ପଢନ୍ତୁ: ପଣ୍ଡ ହେଲା ଡକାୟତି ଯୋଜନା, 6 ଜଣଙ୍କୁ କାବୁକଲା ବଲାଙ୍ଗୀର ପୋଲିସ
ତେବେ ନିକଟରେ ଟିଟିଲାଗଡରୁ 6 ଜଣ ଡକାୟତକୁ ଗିରଫ କରିଥିଲା ଟିଟଲାଗଡ ପୋଲିସ । ଏହାସହ ସେମାନଙ୍କ ନିକଟରୁ ବନ୍ଧୁକ ସହ ମାରଣାସ୍ତ୍ର ଜବତ କରିଥିଲା । ପୂର୍ବରୁ ଅନେକ ମାମଲାରେ ଏହି 6 ଜଣ ଅପରାଧୀ ଥିଲେ ଜଡ଼ିତ ଥିବା ଟିଟିଲାଗଡ ଏସଡ଼ିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଥିଲେ । ତେବେ ସଇଁନ୍ତଳା ଥାନା ବିବିନା ମଦଭାଟିରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଅପରାଧୀଙ୍କ ଯୋଜନା ପଣ୍ଡ କରିଥିଲେ ପୋଲିସ ।
ଇଟିଭି ଭାରତ, ବଲାଙ୍ଗୀର