ବଲାଙ୍ଗୀର: ପୌର ପରିଷଦର ପୂର୍ବତନ ଅଧିକାରୀଙ୍କ ନାଁରେ ଦୁର୍ନିତୀ ଅଭିଯୋଗ । ଲାଇଟ କିଣା ଓ ଡଷ୍ଟବିନ୍ କିଣାରେ ବ୍ୟାପକ ଘୋଟଲା । ଆରଟିଆଇ ତଥ୍ୟରୁ ହେଲା ଖୁଲାସା । ବଲାଙ୍ଗୀର ସହରର ସୌନ୍ଦର୍ଯ୍ୟକରଣ ନାଁରେ ଲକ୍ଷାଧିକ ଟଙ୍କାର ଲାଇଟ ଓ ଡଷ୍ଚବିନ କିଣାରେ ବ୍ୟାପକ ଦୁର୍ନିତୀ ହୋଇଛି । ଏନେଇ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି । ତେବେ ବିଗତ ଚାରି ବର୍ଷରେ ସହରର ଆଲୋକିକରଣ ନାଁରେ 550 ଲାଇଟକୁ 64 ଲକ୍ଷ 31 ହଜାର 288 ଟଙ୍କା ବ୍ୟୟରେ କିଣା ହୋଇଛି । ଯାହାର ପ୍ରକୃତ ମୂଲ୍ୟ ଠାରୁ ପ୍ରତି ଲାଇଟ ପିଛା ପାଞ୍ଚ ହଜାର ଟଙ୍କା ଅଧିକ ମୂଲ୍ୟରେ କିଣା ଯାଇଥିବାର ଅଭିଯୋଗ ହୋଇଛି ।
ଲାଇଟ ଓ ଡଷ୍ଚବିନ କିଣାରେ କମିଶନ କାରବାର ହୋଇଥିବା ନେଇ ଅଭିଯୋଗ ହୋଇଛି । ସେହିପରି ଗତ ଚାରି ବର୍ଷରେ 965ଟି ଡଷ୍ଟବିନକୁ 62 ଲକ୍ଷ 42 ହଜାର 538 ଟଙ୍କାରେ କିଣା ହୋଇଛି । ସହରର ବିଭିନ୍ନ ଗଳିକନ୍ଦିରେ ଡଷ୍ଟବିନ ରଖା ଯାଇଥିବାର ପୌର ପରିଷଦରେ ରେକର୍ଡ କହୁଛି । ହେଲେ ସହରର କୈଣସି ବି ଗୋଟିଏ ସ୍ଥାନରେ ଡଷ୍ଟବିନ ନ ଥିବା କହିଛନ୍ତି ସୂଚନା ଅଧିକାର କର୍ମୀ । ତେବେ ଲାଇଟ ଓ ଡଷ୍ଟବିନ୍ କିଣା ଘୋଟାଲାରେ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
ସେପଟେ ଏ ଘଟଣା ସମ୍ପର୍କରେ ବର୍ତ୍ତମାନର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିରାଚରିତ ଢଙ୍ଗରେ ଉତ୍ତର ରଖିଛନ୍ତି । ସେ କହିଛନ୍ତି, 'ଏନେଇ ଅବଗତ ହେଲୁ, ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।' ତେବେ ସହର ସୌନ୍ଦର୍ଯ୍ୟକରଣ ନାଁରେ ଉଚ୍ଛେଦ ଓ ପରେ କୋଟି କୋଟି ଟଙ୍କା ବ୍ୟୟରେ ପାର୍କ ନିର୍ମାଣ ହୋଇଥିଲେ ହେଁ ବର୍ଷେ ନ ପୁରୁଣୁ ସବୁ ଭାଙ୍ଗି ଚୁନା ହୋଇଗଲାଣି । ସେପଟେ ସହରର ସଫେଇ ନାଁରେ ମଧ୍ୟ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସବୁଠି ଗଦାଗଦା ଆବର୍ଜନା ପଡି଼ ରହିଥିବା ଦେଖିବାକୁ ମିଳିଛି । ତେବେ ଲାଇଟ ଓ ଡଷ୍ଟବିନ୍ କିଣାରେ ହୋଇଥିବା ଦୁର୍ନିତୀର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବୀ ହୋଇଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ୍ ,ଇଟିଭି ଭାରତ