ବଲାଙ୍ଗୀର: ପରୀ ହତ୍ୟାକାଣ୍ଡ ଘଟଣାରେ ତେଜୁଛି ରାଜନୀତି । ଏହି ହତ୍ୟା ଘଟଣାରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ ତଦନ୍ତ ଆରମ୍ଭ କରିଥିବା ବେଳେ ବଲାଙ୍ଗୀରରେ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ନେଇ ଆପତ୍ତି ଉଠାଇଛି । ଅନ୍ୟ ଜଣଙ୍କୁ ଏହାର ମୁଖ୍ୟ କରାଯାଉ ବୋଲ ଦାବି କରିଛି ଦଳ । ଅନ୍ୟପକ୍ଷେ ହାଇକୋର୍ଟ ରାଜ୍ୟ ପୋଲିସର ପଦକ୍ଷେପକୁ ନେଇ ଭର୍ତ୍ସନା କରିଛନ୍ତି । ଯାହାକୁ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।
ନୟାଗଡ ବହୁଚର୍ଚ୍ଚତ ପରୀ ହତ୍ୟାକାଣ୍ଡକୁ ନେଇ ଦିନକୁ ଦିନ ରାଜନୀତି ଜୋର ଧରିବାରେ ଲାଗିଛି । ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ସରକାର ଏସଆଇଟି ଗଠନ କରି ଏହାର ତଦନ୍ତ ଭାର ପ୍ରଦାନ କରିଛନ୍ତି ।
ସେପଟେ ଏନେଇ କଂଗ୍ରେସ ବଲାଙ୍ଗୀରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସଆଇଟି ମୁଖ୍ୟଙ୍କୁ ଟାର୍ଗେଟ କରିଛି । ଏହାର ମୁଖ୍ୟ ଅରୁଣ ବୋଥ୍ରା ରାଜ୍ୟ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ତାଙ୍କର ସିଆର ପିସି ଧାରା 36 ଅନୁଯାୟୀ ପୋଲିସ କ୍ଷମତା ନାହିଁ । ଅନ୍ୟ ବ୍ୟକ୍ତି ଯାହାର ପୋଲିସ କ୍ଷମତା ଥିବ ତାଙ୍କୁ ଏସଆଇଟି ମୁଖ୍ୟ ରୂପେ ନିଯୁକ୍ତ କରି ନିରପେକ୍ଷ ତଦନ୍ତ ଦାବି କରିଛି କଂଗ୍ରେସ । ବିଗତ ପାଞ୍ଚ ବର୍ଷ ପରେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ଅର୍ଥାତ୍ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟ ଭର୍ତ୍ସନା କରିଛନ୍ତି ବୋଲି କଂଗ୍ରେସ କହିଛି । ଏଣୁ ନୈତିକ ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି ।
ବାଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ