ବଲାଙ୍ଗୀର: ଖେଳ ପାଲଟିଲା କାଳ । ବଲାଙ୍ଗୀର ତୁରେକେଲା ବ୍ଲକ ଅନ୍ତର୍ଗତ ରାଉତ ମୁଣ୍ଡା ଗ୍ରାମରେ ଆଜି ଖେଳ ଦୁଇ ଶିଶୁ ପାଇଁ କାଳ ହୋଇଛି । ରାସ୍ତାରେ ପଡ଼ିଥିବା ଅଫୁଟା ବାଣ ଧରି ଖେଳୁ ଥିବାବେଳେ ବାଣ ବିସ୍ପୋରଣ ହୋଇ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଏହି ଗାଁରେ ଗତ ଶୁକ୍ରବାର ଗୋଟିଏ ବିବାହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବର ଯାତ୍ରୀ ଦଳ କିଛି ଅଫୁଟା ବାଣ ରାସ୍ତାରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ସେହି ବାଣକୁ ଆଜି ସକାଳେ ଏହି ଗାଁ ର ନିଲ୍ ଛତ୍ରିଆଙ୍କ ଦୁଇ ଶିଶୁ ଗଣେଶ ଛତ୍ରିଆ ଓ କବିତା ଛତ୍ରିଆ ତାକୁ ଆଣି ଘର ଦାଣ୍ଡରେ ଖେଳୁଥିଲେ ।
ତେବେ ହଠାତ ବାଣଟି ବିସ୍ପୋରଣ ହେବାରୁ ଦୁଇ ଶିଶୁ ପୋଡ଼ି ହୋଇଯାଇଥିଲେ । ଏଥିରେ ତାଙ୍କ ଶରୀରର ୫୦ରୁ ଅଧିକ ଭାଗ ପୋଡ଼ି ଯାଇଥିବାବେଳେ ସେମାନେ ଗୁରୁତର ଆହତ ହୋଇଛନ୍ତି । ସେପଟେ ଏହି ଘଟଣା ପରେ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ତୁରେକେଲା ଡାକ୍ତରଖାନା ଓ ପରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ସୁଦ୍ଧା ଦୁଇ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ