ବଲାଙ୍ଗୀର: ସାର ଅଭାବକୁ ନେଇ ଜିଲ୍ଲା ବିଜେଡିର ପ୍ରତିବାଦ । ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ନେଇ ଜିଲ୍ଲା ବିଜେଡିର ବିରାଟ ସମାବେଶ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାର ଦାବି ନେଇ ଧାରଣା ଦେଇଛି ।
ଜିଲ୍ଲା ବିଜେଡି ପକ୍ଷରୁ ଏକ ବିରାଟ ସମାବେଶରେ ଜିଲ୍ଲାର ଶତାଧିକ ବିଜେଡି କର୍ମୀ ଓ ତୁଙ୍ଗ ନେତା ସାମିଲ ହୋଇଥିଲେ । ତେବେ କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣକୁ ବିରୋଧ କରି ଏମାନେ ଏହି ସମାବେଶ କରିଥିଲେ । ବଲାଙ୍ଗୀର ସହରରେ ଏକ ଶୋଭାଯାତ୍ରା ଓ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏମାନେ ଧାରଣା ଦେଇଥିଲେ । ତେବେ ଓଡ଼ିଶାରେ ବର୍ଷକୁ 62 ଲକ୍ଷ ହେକ୍ଟରରେ ଚାଷ ହେଉଥିବାବେଳେ ମୋଟ 4 ଲକ୍ଷ 50 ହଜାର ମେଟ୍ରିକ ଟନ ସାରର ଆବଶ୍ୟକତା ରହିଥାଏ ।
ସେହିପରି ଜୁଲାଇ ଓ ସେପ୍ଟେମ୍ବର ମାସରେ ଏହି ସାରର ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ଏଯାଏଁ ମାତ୍ର 2 ଲକ୍ଷ 17 ହଜାର ମେଟ୍ରିକ ଟନ ସାର ଯୋଗାଇ ଦେଇଛନ୍ତି । ଯାହା ଚାଷୀଙ୍କ ପାଇଁ ନିଅଣ୍ଟିଆ ଥିବାବେଳେ ଚାଷୀ ହଇରାଣ ହେଉଥିବା କହିଛନ୍ତି । ସେହିପରି ଓଡିଶା ସରକାର ବାରମ୍ବାର କେନ୍ଦ୍ରକୁ ଏହା ବାବଦରେ ଜଣାଇ ଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ । ଯାହାକୁ ନେଇ ବିଜେଡି ଆନ୍ଦୋଳନ କରିଥିବାବେଳେ ଦାବି ପୂରଣ ନ ହେଲେ ଆଗକୁ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ