ବଲାଙ୍ଗୀର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି । ବିରୋଧୀଙ୍କ ହୋହାଲ୍ଲାରେ କମ୍ପୁଛି ରାଜ୍ୟ । ଏହି ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ତାତିଛି ବିଜେପି । ମମିତାଙ୍କୁ ନ୍ୟାୟ ପ୍ରଦାନ ସହ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି(ଗୁରୁବାର) ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି ବିଜେପି ଏବଂ ଜିଲ୍ଲାରେ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ।
ଆଜି ବଲାଙ୍ଗୀର ଜିଲ୍ଲାରେ ସ୍କୁଲ, କଲେଜ, ଦୋକାନବଜାର ସବୁ କିଛି ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । କେବଳ ଜିଲ୍ଲାରେ ଜରୁରୀକାଳୀନ ସେବା ଜାରି ରହିଛି । ଗତକାଲି(ବୁଧବାର)କଳହାଣ୍ଡିରେ ବନ୍ଦ ଡାକରା ଦେଇଥିଲା ଦଳ ।
ମମିତା ମର୍ଡରର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ଥିବା ଜଣାପଡିବା ପରେ ତାଙ୍କୁ ବହିଷ୍କାର ସହ ଗିରଫଦାବୀ ନେଇ ଦାବି ଜୋର ଧରିଛି । ମନ୍ତ୍ରୀଙ୍କ ବହିଷ୍କାର ନ କଲେ ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବ ବୋଲି ବିଜେପି ଅଭିଯୋଗ କରିଛି । ଯଦିଓ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍କୁଲ ପରିଚାଳକ ଗୋବିନ୍ଦ ସାହୁକୁ ଗିରଫ କରିଛି, ତାହାସତ୍ତ୍ୱେ ମଧ୍ୟ ଆନ୍ଦୋଳନ ଜାରି ରହିଛି । ମନ୍ତ୍ରୀଙ୍କୁ ଶୀଘ୍ର ବହିଷ୍କାର କ ନ ଗଲେ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତବାନୀ ଦେଇଛି ବିଜେପି ।
ବଲାଙ୍ଗୀରରେ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ