ବଲାଙ୍ଗୀର: ଭୁବନେଶ୍ବରରୁ ବଲାଙ୍ଗୀର, ବଲାଙ୍ଗୀରରୁ କଳାହାଣ୍ଡି ସବୁଠି ମମିତାଙ୍କୁ ନ୍ୟାୟ ଦାବି । ଏହିପରିପ୍ରେକ୍ଷୀରେ ଗତକାଲି(ଶୁକ୍ରବାର) ବିଜେପିର ତିନି ଜଣିଆ କେନ୍ଦ୍ରୀୟ ମହିଳା କମିଟି ବଲାଙ୍ଗୀର ଗସ୍ତ କରି ମମିତାଙ୍କ ପରିବାରକୁ ଭେଟିଛନ୍ତି । ଏହାପରେ କଳାହାଣ୍ଡି ଯାଇ ମହାଲିଙ୍ଗ ସ୍କୁଲର ସ୍ଥିତି ଅନୁଧ୍ୟାନ କରିବା ପରେ ବଲାଙ୍ଗୀର ଏସପିଙ୍କ ସହ ଆଲୋଚନା କରିଛନ୍ତି ।
ତେବେ ଏସପି ତାଙ୍କୁ ନିରପେକ୍ଷ ତଦନ୍ତର ପ୍ରତିଶ୍ରୁତି ଦେଇଥିବା ମହିଳା ମୋର୍ଚ୍ଚା କହିଛି । ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର୍ ଧରି ଥିବାବେଳେ ଗତକାଲି ଜାତୀୟ ବିଜେପିର ଏକ ୩ ଜଣିଆ ମହିଳା କମିଟି ବଲାଙ୍ଗୀର ଗସ୍ତରେ ଆସିଥିଲେ । ପ୍ରତିଦିନ ରାଜନୈତିକ ଦଳ ହେଉ କିମ୍ବା ସାମାଜିକ ସଙ୍ଗଠନ ମମିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ କରୁଛନ୍ତି । ଏଥିସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ପାଇଁ ମଧ୍ୟ ଅଡି ବସିଛନ୍ତି କଂଗ୍ରେସ ଏବଂ ବିଜେପି ।
ଦୋଷୀଙ୍କୁ କଠୋର ଦଣ୍ଡ ପାଇଁ ବିଜେପି ମହିଳା ମୋର୍ଚ୍ଚା ଦାବି କରିବା ସହ ଯଦି ରାଜ୍ୟ ସରକାର ଏହାର ସମାଧାନ ନ କରନ୍ତି ତେବେ ମହିଳା ମୋର୍ଚ୍ଚା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ବିସ୍ତୃତ ସୂଚନା ଦେବ ବୋଲି କହିଛି । ଏଥିସହ ନ୍ୟାୟ ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମୋର୍ଚ୍ଚା ଚେତାବନୀ ଦେଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ