ବଲାଙ୍ଗୀର: ଦେଶରେ ପେଟ୍ରୋଲ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ ଯାଏଁ, ସବୁକିଛି ଦର ଆକାଶ ଛୁଆଁ ରହିଛି । ବର୍ତ୍ତମାନ ଓଡିଶାରେ ପେଟ୍ରୋଲ ଲିଟର 112 ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ମଧ୍ୟ ଶତକ ପାର୍ କରିଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଏପରି ଭାବେ ଅହେତୁକ ଦର ବୃଦ୍ଧି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବଲାଙ୍ଗୀର ଛାତ୍ର କଂଗ୍ରେସ । ଏହାକୁ ବିରୋଧ କରି ଛାତ୍ର କଂଗ୍ରେସ ଆଜି(ରବିବାର) ବଲାଙ୍ଗୀରରେ ବିକ୍ଷୋଭ ପ୍ରଦର୍ଶନ କରିଛି(NSUI Balangir Protest) ।
ଛାତ୍ର କଂଗ୍ରେସର ଶତାଧିକ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ''ମୋଦି ସରକାର ଆସିବା ଦିନଠୁ ପେଟ୍ରୋଲ, ରନ୍ଧନ ଗ୍ୟାସ ସହ ଅତି ଜରୁରୀ ସାମଗ୍ରୀର ଦର ଅହେତୁକ ବୃଦ୍ଧି ହେଉଛି । ଯାହାଫଳରେ ସାଧାରଣ ଜନତା ଏଥିପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ମୋଦି ସରକାର ଲୋକଙ୍କଠୁ ଅଧିକ ଟିକସ ଆଦାୟ କରି ଜାଣିଶୁଣି ଏହି କାମ କରୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଦର ବୃଦ୍ଧି ପାଇଁ ଦାୟୀ'' ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ