ବାଲାଙ୍ଗୀର: ଚାଷୀଙ୍କ ଧାନକୁ ପ୍ରଶାସନ ଦଲାଲର ଧାନ ବୋଲି ଅଭିଯୋଗ ଆଣି ଜବତ କରିବା ଘଟଣାରେ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ । ଫଳରେ ଶନିବାର କୃଷକ ସଂଗଠନ ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିସହ ଜିଲ୍ଲାପାଳ ଅଫିସ୍ ଆଗରେ ଧାରଣା ଦେଇଥିଲେ । ତେବେ ଚାଷୀ ସଂଗଠନ ଆନ୍ଦୋଳନ କରିବା ସହ ସଂପୃକ୍ତ ଚାଷୀଙ୍କୁ ଧାନ ଫେରାଇବା ସହ ଧାନ ବିକ୍ରି କରିବାର ସୁବିଧା ଯୋଗାଇ ଦେବାର ଦାବି ହୋଇଛି । ଅଭିଯୋଗ ଅନୁସାରେ ବଲାଙ୍ଗୀର ବେଲପଡ଼ା ବ୍ଲକ ଅନ୍ତର୍ଗତ ଜଳିଆ ଗ୍ରାମର ଚାଷୀ ଅରକ୍ଷିତ ରାଉତ ଓ ଭୀଷ୍ମ ରାଉତଙ୍କ ଘରେ ପ୍ରଶାସନ ଚଢାଉ କରି ବେଆଇନ ଧାନ ଗଚ୍ଛିତ ଥିବାର ଦର୍ଶାଇ 90 କ୍ୟୁଣ୍ଟାଲ ଧାନ ଜବତ କରିଥିଲା।
ଏହି ଘଟଣାକୁ ନେଇ ଗ୍ରାମରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ଗ୍ରାମବାସୀ ବେଲାପଡ଼ା ତହସିଲଦାର ଏବଂ ସହକାରୀ ଯୋଗାଣ ଅଧିକାରୀଙ୍କୁ ଅଟକ ମଧ୍ୟ ରଖିଥିଲେ। ପରେ ପୋଲିସ ଗାଁରେ ପହଞ୍ଚି ଅଟକଥିବା ସମସ୍ତ ଅଧିକାରୀଙ୍କୁ ଉଦ୍ଧାର କରିଥିଲା। ଅନ୍ୟପଟେ ପ୍ରଶାସନ ଜବତ କରିଥିବା ଧାନ କୌଣସି ଦଲାଲଙ୍କର ନୁହେଁ ବୋଲି ଅରକ୍ଷିତ ଓ ଭୀଷ୍ମ କହିଛନ୍ତି । ଆମେ ଦୁଇ ଭାଇ ମିଳିତ ଭାବରେ ଦଶ ଏକର ଜମି ଚାଷ କରି ଚଳି ଆସୁଛୁ ।
ସେହିପରି ଏଥର 220 କ୍ୟୁଣ୍ଟାଲ ଧାନ ହୋଇଥିବା ବେଳେ କିଛି ଧାନ ବିକ୍ରି ହୋଇଛି । ଆଉ କିଛି ଟୋକନ୍ ପାଇ ବିକ୍ରି ହୋଇନଥିବା ଏମାନେ କହିଛନ୍ତି । ତେବେ ବଳକା ଧାନ ବିକ୍ରି କରିବା ପାଇଁ ସାଇତି ରଖିଥିବା ବେଳେ ପ୍ରଶାସନ ବେଆଇନ ଭାବେ ଚଢାଉ କରି ଜବତ କରିଥିବା ଏମାନେ ଅଭିଯୋଗ ଆଣିଛନ୍ତି ।ସେହିଭଳି ତାଙ୍କ ଧାନ ଫେରାଇ ଦେବା ସହ ବିକ୍ରି କରିବାର ସୁଯୋଗ ଦେବାକୁ ଦାବି କରିଛନ୍ତି। ନଚେତ୍ ଆମା ଆତ୍ମହତ୍ୟା କରିବୁ ବୋଲି ଦୁଇ ଭାଇ କହିଛନ୍ତି। ଏମାନଙ୍କ ଦାବିକୁ ସମର୍ଥନ ଜଣାଇ ବଲାଙ୍ଗୀର କୃଷକ ସଂଘର୍ଷ ସମିତି ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଦାବି ପୂରଣ ନା ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବା ।
ବଲାଙ୍ଗୀରରୁ ସେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ