ବଲାଙ୍ଗୀର: ଜିଲ୍ଲାରେ ଜାଲ ସାର୍ଟିଫିକେଟ ରାକେଟ ନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଶନିବାର ବଲାଙ୍ଗୀରେ ପହଞ୍ଚିବା ପରେ ରବିବାର ତନାଘନା ଆରମ୍ଭ ହୋଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ସରଗରମ ହୋଇଛି ରାଜନୀତି । ବିଜେଡି ଓ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିଛନ୍ତି ।
ବଲାଙ୍ଗୀର ଜିଲ୍ଲା କଂଗ୍ରେସ ପକ୍ଷରୁ ଗତକାଲି ସ୍ଥାନୀୟ ସାମ୍ବାଦିକ ଭବନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା କହିଥିଲେ ଯେ, ''ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ବିଜେଡିର ଉଚ୍ଚ ପଦସ୍ଥ ନେତା ମନ୍ତ୍ରୀଙ୍କ ସହ ସମ୍ପର୍କରେ ଥିଲେ । ଯାହାର ଅନେକ ଫଟୋ ସାମ୍ନାକୁ ଆସିଛି । ଏଥିସହ ବଲାଙ୍ଗୀର ରାଜା ପରିବାର ଅନଙ୍ଗ ଉଦୟ ସିଂହ ଦେଓ, ତାଙ୍କ ପୁତ୍ର କଲିକେଶ ନାରାୟଣ ସିଂହ ଦେଓ , ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଓ ସ୍ୱରାଷ୍ଟ୍ର ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ସହିତ ତାର ଫଟୋ ରହିଛି । ''
''ଏହାର ଅର୍ଥ ଅଭିଯୁକ୍ତର ଏମାନଙ୍କ ସହ ସିଧା ସଳଖ ସମ୍ପର୍କରେ ଥିଲା । ସେ ନିଜେ ବିଜେଡି ଆଇଟି ସେଲର ମୁଖ୍ୟ ଥିଲା । ବିଜେଡିର ପୃଷ୍ଟ ପୋଷକତାରେ ଅଭିଯୁକ୍ତ ଜଣଙ୍କ ରହିଥିଲା । ତେଣୁ ସବୁ ଗୁଣ୍ଡା ଅପରାଧୀ ବିଜେଡ଼ିରେ ଅଛନ୍ତି ବୋଲି କଂଗ୍ରେସ ଜିଲ୍ଲା ସଭାପତି ଦିଲୀପ ବେହେରା କହିଥିଲେ । ସେହିପରି କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଫଟୋକୁ ନେଇ ସେ କହିଛନ୍ତି ଯେ, କୌଣସି ଏକ ସଭାରେ ସେ ତାଙ୍କ ସହ ଫଟୋ ଉଠାଇଥିଲେ । ଯାହାକୁ ନରସିଂହ ମିଶ୍ର ତଦନ୍ତ ହେଉ ବୋଲି ପୂର୍ବରୁ କହିଥିଲେ । ଏଥିସହ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ମଧ୍ୟ ସନ୍ଦେହ ପ୍ରକଟ କରିଛନ୍ତି ଦିଲୀପ ।''
ଅନ୍ୟପଟେ କଂଗ୍ରେସର ଏପରି ଅଭିଯୋଗକୁ ନେଇ ବଲାଙ୍ଗୀର ଜିଲ୍ଲା ବିଜେଡି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ରଖିଛି । ଯେଉଁଥିରେ ବିଜେଡି କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି କହିଛନ୍ତି ଯେ,''କଂଗ୍ରେସ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଅଭିଯୁକ୍ତ ମନୋଜ ମିଶ୍ର ବିଜେଡିର ସଦସ୍ୟ କିମ୍ବା କୌଣସି ପଦରେ ସେ ନଥିଲେ । ସେହିପରି ସବୁ ଅପରାଧୀ ଅଭ୍ୟାସ ଅନୁସାରେ ନେତା ମନ୍ତ୍ରୀଙ୍କ ସହ ଫଟୋ ଉଠାଇ ଥାଆନ୍ତି । ଏବଂ ସେ ସମୟରେ ସେ ଅପରାଧୀ କି ନୁହେଁ ତାହା ଜଣା ପଡେନାହିଁ । ଓଲଟା ବଲାଙ୍ଗୀରରେ ସବୁ ନିର୍ବାଚନରେ କଂଗ୍ରେସ ମାଟି କାମୁଡି ଥିବାରୁ ବିଜେଡିକୁ ବଦନାମ କରାଯାଉଛି । ଓଲଟା ଅଭିଯୁକ୍ତ ନରସିଂହ ମିଶ୍ରଙ୍କ ଘନିଷ୍ଠ ଓ ତାଙ୍କ ପରିବାର ସହିତ ମଧ୍ୟ ଅଭିଯୁକ୍ତ ଜଡିତ । ବଲାଙ୍ଗୀରର ସବୁ ଅପରାଧିଙ୍କ ମାମଲା କିଏ ଲଢ଼ୁଛି ଓ ତାଙ୍କୁ କିଏ ସହଯୋଗ କରନ୍ତି ବଲାଙ୍ଗୀରବାସୀ ତାହା ଭଲରେ ଜାଣନ୍ତି ବୋଲି କହିଛନ୍ତି ଅଶୋକ ମହାନ୍ତି ।''
ଇଟିଭି ଭାରତ, ବଲାଙ୍ଗୀର