ବଲାଙ୍ଗୀର : ଜିଲ୍ଲା ଏବେ ପାଲିଟିଛି ତତଲା କଢ଼େଇ । ଏଠି ଅସହ୍ୟ ଗରମ ସାଙ୍ଗକୁ ଝାଞ୍ଜି ପବନ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରୁଛି । ସକାଳ ୮ଟାରୁ ଆକାଶରୁ ଅଗ୍ନି ବର୍ଷା ହେଲା ଭଳି ଖରା ହେଉଛି ।
ଯାହା ପାଇଁ ଏଠି ସାଧାରଣ ଜୀବନଯାପନ ଖୁବ ପ୍ରଭାବିତ ହୋଇଛି । ଅସହ୍ୟ ଖରା ଯୋଗୁଁ ଦିନ ବେଳା ରାସ୍ତା ଘାଟରେ କର୍ଫ୍ୟୁ ଲାଗିଲା ଭଳି ଖାଁ ଖାଁ ରହୁଛି । ତେବେ ଲୋକ ଜରୁରୀ କାମ ନ ଥିଲେ ବାହାରକୁ ବାହାରୁ ନାହାନ୍ତି।
ସେହିପରି ରାତିରେ ମଧ୍ୟ ଗରମ ସହ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ବଲାଙ୍ଗୀର ସହରାଞ୍ଚଳ ଠୁ ନେଇ ଗାଁ ସବୁଠି ସମାନ ଗରମ ଅନୁଭୂତ ହେଉଛି । ତେବେ ଟିଟିଲାଗଡ଼ ଓ ବଲାଙ୍ଗୀର ସହରରେ କ୍ରମାଗତ ଭାବରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।
ଯେଉଁଥିରେ ଟିଟିଲାଗଡ଼ ଓ ବଲାଙ୍ଗୀର ସହରରେ ତାପମାତ୍ରା 43 ଡିଗ୍ରୀ ଉପରକୁ ଗଲାଣି। ଏବଂ ଆଗକୁ ମଧ୍ୟ ଏହା ବଢିବାର ସମ୍ଭାବନା ରହିଛି। ସେପଟେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ସରିଛି। ଏବଂ ସମସ୍ତ ପ୍ରକାରର ଆଗୁଆ ପ୍ରସ୍ତୁତି କରାଯାଇଛି। ଯେଉଁଥିରେ ଜଳଛତ୍ର, ବିଶ୍ରାମ ଗୃହ, ପାଣି, ବିଦ୍ୟୁତ ଓ ଚିକିତ୍ସା ସେବା ଯେମିତି ଅହରହ ଲୋକଙ୍କୁ ମିଳିପାରିବ ।
ସେଥି ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ଲୋକଙ୍କୁ ଜରୁରୀ ନ ଥିଲେ ଦିନ ବେଳା ଘରୁ ନ ବାହାରିବାକୁ ମଧ୍ୟ ପ୍ରଶାସନ ସଚେତନ କରୁଛି। ସମାନ ଭାବରେ ଟାଣ ଖରାରେ ଶ୍ରମିକଙ୍କୁ ମଧ୍ୟ କାମ ନ କରିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି ହୋଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ