ବଲାଙ୍ଗୀର: 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି (ଗୁରୁବାର) ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ନୂଆ ଓ ନବୀନ ଓଡ଼ିଶା ଉତ୍ସବରେ ଯୋଗ ଦେଇ ଦେଲେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର । ସେହିପରି କଣ୍ଟାବାଞ୍ଜି ଓ ସଇଁତଳାରେ ଲୋକଙ୍କ ଅଭିଯୋଗ ଶୁଣାଣି କରି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି ।
ପାଣ୍ଡିଆନ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ନୂଆ ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାମାନ ପ୍ରଣୟନ କରିବା ପାଇଁ ସହ ବଲାଙ୍ଗୀର ଜିଲ୍ଲାର ଯୁବକ ଯୁବତୀମାନଙ୍କ ଶିକ୍ଷା ସମେତ କ୍ରୀଡା ଓ ସାଂସ୍କୃତିକ ବିକାଶ ଲାଗି ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଥିବା କହିଥିଲେ । ବଲାଙ୍ଗୀର ଯୁବକ ଯୁବତୀମାନଙ୍କର ଶିକ୍ଷା, କ୍ରୀଡା, ସାଂସ୍କୃତିକ ବିକାଶ ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏକ ସଶକ୍ତ ବଲାଙ୍ଗୀର ଗଠନରେ ଯୁବବର୍ଗଙ୍କ ସହଭାଗିତାକୁ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ ।
ଯୁବ ସମୟ ଜୀବନର ସ୍ବର୍ଣ୍ଣିମ ସମୟ । ଏହି ସମୟକୁ ସଦୂପଯୋଗ କରିବା ନିହାତି ଆବଶ୍ୟକ । ଯୁବବର୍ଗ କେବଳ ପାଠରେ ନୁହେଁ ସବୁ କ୍ଷେତ୍ରରେ ପାରଙ୍ଗମ ହେବା ଦରକାର । ନୂଆ-ଓ ଯୁବବର୍ଗଙ୍କୁ ପ୍ଳାଟଫର୍ମ ଦେବା ସହ ସାମୁହିକ ବିକାଶ ଦିଗରେ ସାହାଯ୍ୟ ହେବ ବୋଲି ସେ କହିଥିଲେ । ସେହିପରି ଏହି ଉତ୍ସବରେ ବିଭିନ୍ନ ରାଜ୍ୟସ୍ତରୀୟ କଳାକାରମାନଙ୍କ ଦ୍ବାରା ଷ୍ଟାଣ୍ଡ-ଅପ କମେଡି, ସଙ୍ଗୀତ, ନୃତ୍ୟ ଆଦି କଳା ପରିବେଷଣ କରାଯାଇଥିଲା । ଯାହାକୁ ଉପସ୍ଥିତ 10 ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପଭୋଗ କରିଥିଲେ ।
ଏହାପରେ ପାଣ୍ଡିଆନ କଣ୍ଟାବାଞ୍ଜି ଓ ସଇଁତଲା ଗସ୍ତ କରିଥିଲେ । ସେଠାରେ ଆୟୋଜିତ ଜନ ଶୁଣାଣିରେ ସାମିଲ ହୋଇ କଣ୍ଟାବାଞ୍ଜି ଭୋକେସନାଳ ଖେଳ ପଡିଆରେ ଆୟୋଜିତ ଅଭିଯୋଗ ଆପତ୍ତି ଶିବିରରେ ଯୋଗ ଦେଇଥିଲେ । ପୂର୍ବରୁ ଜୁଲାଇ ୨୦ ତାରିଖରେ ପାଣ୍ଡିଆନ ଏଠାକୁ ଆସିଥିଲେ । ସେହି ସମୟରେ ୮୪୦ ଦରଖାସ୍ତ ପାଇଥିବା ବେଳେ ସେ ଭିତରୁ ୮୦୦ ଦରଖାସ୍ତର ସମାଧାନ ହୋଇଯାଇ ଥିବାର ସେ ଏଠି ସୂଚନା ଦେଇଥିଲେ । ଆଉ ୪୦ ଦରଖାସ୍ତ ଶୀଘ୍ର ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଆଜି ଏହାକୁ ୬ ମାସ ବିତିଥିବା ବେଳେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୬୦କୋଟି ତାଙ୍କ ମଞ୍ଜୁର କରିଥିବା କହିଥିଲେ ।
ଏହା ବି ପଢନ୍ତୁ- ଲକ୍ଷ୍ମୀପୁର ଗସ୍ତରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ
ପ୍ରସିଦ୍ଧ ରାଣିପୁର ଝରିଆଲ ବିକାଶ ପାଇଁ ୪ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜର ଉନ୍ନତି ପାଇଁ ୧ କୋଟି ଟଙ୍କା, ମୁରିବାହାଲ ପଞ୍ଚାୟତ କଲେଜ ପାଇଁ ୧ କୋଟି, କଣ୍ଟାବାଞ୍ଜି ଭୋକେସନାଳ ଡିଗ୍ରୀ କଲେଜ ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବେଳେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ୩୩ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ ଦେଇଛନ୍ତି । ଏମିତି ସବୁ ଦେଖିଲେ ୬୦ କୋଟି ଟଙ୍କା ଗତ ୬ ମାସରେ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ପାଣ୍ଡିଆନ କହିଥିଲେ । କେବଳ କଣ୍ଟାବାଞ୍ଜି ସହର ପାଇଁ ୬୦୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କାମ ଆରମ୍ଭ କରାଯାଇଛି ।
ସେହିପରି ଆସନ୍ତା ଫେବୃଆରି ମାସରୁ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ବସ ଗଡିବ । ପ୍ରତ୍ୟେକ ପଞ୍ଚାୟତକୁ ସରକାରୀ ବସ ଯିବ । ଦିନକୁ ୩ ଥର ଯିବ ଏବଂ ସେହି ବସରେ ମହିଳା ଓ କଲେଜ ଛାତ୍ରଛାତ୍ରୀଙ୍କ ଟିକଟର ଦାମ ରହିବା ମାତ୍ର ୫ ଟଙ୍କାରେ ସେମାନେ ଯିବା ଆସିବା କରିବେ । ମିଶନ ଶକ୍ତି ମା'ମାନଙ୍କ ପାଇଁ ପ୍ରତ୍ୟେକ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ମୁଖ୍ୟମନ୍ତ୍ରୀ ଆରମ୍ଭ କରାଯାଇଥିବାର ସେ କହିଛନ୍ତି । ପାଣ୍ଡିଆନ ସମାନ ଭାବରେ ସଇଁତଳାଠାରେ ମଧ୍ୟ ଜନ ଶୁଣାଣି କରି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ତେବେ ଏହି ଗସ୍ତରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ବଲାଙ୍ଗୀର