ବଲାଙ୍ଗୀର: ହୃଦୟ ବିଦାରକ, ଛାତିଥରା ତଥା ଅଭାବନୀୟ ଘଟଣା । ମା'ର ମୃତଦେହ ସହ ୩ ଦିନ କାଟିଲା କୋମଳୀମତି ଶିଶୁ । ସେ କଣ ବା ଜାଣିଛି ଯେଉଁ ମା'କୁ ସେ ଜଗିକି ବସିଛି ସେହି ମା' ଆଉ କେବେ ଉଠିବ ନାହିଁ କି ତାକୁ କୋଳେଇ ନେବନି । ତାର ସେହି ଅତି ପ୍ରିୟ ମା' ଆଜି ଚିରନିଦ୍ରାରେ । ଏଭଳି ଦୁଃଖଦ ଘଟଣା ବଲାଙ୍ଗୀର ସହର ସାଗରପଡ଼ା ନିକଟରେ ଦେଖିବାକୁ ମିଳିଛି । ଯେଉଁଠି ମା'ର ଅଜଣା ରୋଗରେ ମୃତ୍ୟୁ ପରେ ଶିଶୁକନ୍ୟା ୩ ଦିନ ମୃତଦେହ ସହ କାଟିଥିବା ଜଣାପଡ଼ିଛି ।
ଉକ୍ତ ଅଞ୍ଚଳରେ ଗରିବ ମହିଳା କୁନି ନାୟକ ନିଜର ଚାରି ବର୍ଷର ଶିଶୁକନ୍ୟା ସହିତ ଭଡ଼ା ଘରେ ରହିଆସୁଥିଲେ । କିନ୍ତୁ ଗତ ୩ ଦିନ ତଳେ ତାଙ୍କର କୌଣସି ଅଜଣା ରୋଗରୁ ମୃତ୍ୟୁ ଘଟିଛି । ସେପଟେ ଶିଶୁଟି ମା' ଶୋଇଥିବା ଭାବି ମୃତଦେହ ପାଖରେ ବସି ରହିଥିଲା । ଭୋକ ଉପାସରେ ମା' ପାଖରେ ବସି ରହିଥିଲା । ତେବେ ସୋମବାର ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ପଡ଼ୋଶୀ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେବା ସହିତ ଶିଶୁକୁ ଉଦ୍ଧାର କରିଥିଲେ । ଶିଶୁ ନିକଟରୁ ସବୁକଥା ଶୁଣିବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସେମାନେ ଜାଣିଥିଲେ ।
ସେପଟେ ବଲାଙ୍ଗୀର ଟାଉନ ଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହିପରି ବଲାଙ୍ଗୀର ଚାଇଲ୍ଡ ଲାଇନ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଛି । ତେବେ ଶିଶୁ ଏବେ ବି ଘୋର ମାନସିକ ଆଘାତରେ ଥିବା ଜଣାପଡିଛି । ଶିଶୁର ପରିବାର ବର୍ଗଙ୍କ ପରିଚୟ ଏଯାଏଁ ମିଳିନଥିବା ବେଳେ ଚାଇଲ୍ଡ ଲାଇନ୍ ଶିଶୁକୁ ଉଦ୍ଧାର କରି ତାର ଥଇଥାନ କରିବ ବୋଲି କହିଛି । ସେପଟେ ପୋଲିସ ସଂପୃକ୍ତ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଘଟଣାଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ