ଅନୁଗୋଳ : ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ କୋରୋନା ସଂକ୍ରମିତ ପାଣିକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ଛେଣ୍ଡିପଦା ବ୍ଳକ୍ ରାଇଝରଣ ଗାଁର ସନ୍ତୋଷ ଗୋଚ୍ଛାୟତ ଜିନ୍ଦଲ୍ ପ୍ଲାଣ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଠିକାଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ । ତିନିଦିନ ପୂର୍ବରୁ ସେ କରୋନା ପରୀକ୍ଷା କରାଇଥିଲେ । ଗତକାଲି ରିପୋର୍ଟ ପଜେଟିଭ ଆସିବା ପରେ ସେ ବିବ୍ରତ ହୋଇପଡ଼ିଥିଲେ । ପରିବାର ଲୋକେ ମଧ୍ୟ ଏହାକୁ ନେଇ ଡରି ଯାଇଥିଲେ । ଘରେ ଭୟର ବାତାବରଣ ଖେଳି ଯାଇଥିଲା ବେଳେ ଘୋର ମାନସିକ ଦୁଶ୍ଚିନ୍ତାରେ ଭାଙ୍ଗି ପଡ଼ିଥିଲେ ସନ୍ତୋଷ ।
ଘରେ ଏକାନ୍ତବାସରେ ରହିବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା । ତେବେ ସେ ଗତକାଲି ହଠାତ୍ ସାଇକଲ୍ରେ ଘରୁ ବାହାରି ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ସଦସ୍ୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ସନ୍ତୋଷ ନେଇଥିବା ସାଇକଲ୍କୁ ପରିବାର ସଦସ୍ୟ ରାଇଝରଣ ଜଳସେଚନ ପ୍ରକଳ୍ପ ହୁଡ଼ାରେ ପଡ଼ିଥିବା ଦେଖିଥିଲେ । ମାତ୍ର ସନ୍ତୋଷଙ୍କର ସଂନ୍ଧାନ ମିଳିନଥିଲା । ଶେଷରେ ରାଇଝରଣ ଡ୍ୟାମ୍ରେ ତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।
କରୋନାରେ ସଂକ୍ରମିତ ହେବା ପରେ ସନ୍ତୋଷ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ପ୍ରକାଶ କରିଛନ୍ତି । ପରିବାର ସଦସ୍ୟଙ୍କ ଏତଲାକ୍ରମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ