ଅନୁଗୋଳ: ପାଲଲହଡାରେ ଫୁଟିବ କି ପଦ୍ମ ? ନା ଅପରାଜୟେ ରହିବ ଶଙ୍ଖ । ନା ଲୋକଙ୍କ ସେବା କରିବାର ସୁଯୋଗ ପାଇବ ହାତ ଦଳ । ନିର୍ବାଚନ ପୂର୍ବରୁ ପାଲଲହଡାରେ ବହିଲାଣି ନିର୍ବାଚନ ଲହର । କିଏ ମାରିବ ବାଜି ? କିଏ ହେବେ ବିଧାୟକ ? କାହାକୁ ବାଛିବେ ଜନତା । ହ୍ୟାଟ୍ରିକ ମାରିଥିବା ବିଜେଡିର ଗଡ ରହିବ କି ଅକ୍ଷୁର୍ଣ୍ଣ ? ନା ପରିବର୍ତ୍ତନର ସୁଅରେ ଫୁଟିଯିବ ପଦ୍ମ । କଂଗ୍ରେସ ବି ଧୀରେ ଧୀରେ ବଳ ଗୋଟାଇ ଶକ୍ତିର ସହ ଫେରିବାକୁ ଉଦ୍ୟମ କରୁଥିବା ବେଳେ ପାଲଲହଡାରେ ଦଳର ହେବ କି ଭାଗ୍ୟ ପରିବର୍ତ୍ତନ । ଶିଳ୍ପ ବହୁଳ ଅନୁଗୋଳ ଜିଲ୍ଲାରେ ପଛୁଆ ପଡିଯାଇଛି ପାଲଲହଡା । ଫଳରେ ଭୋଟର ବି ହେଲେଣି ସଚେତନ । ଯାହା ସବୁ ରାଜନୈତିକ ଦଳଙ୍କ ପାଇଁ ଏବେ ପାଲଟିବାକୁ ଯାଉଛି ଚିନ୍ତାର କାରଣ । ଏପରି ସ୍ଥିତିରେ କିଏ ଜିତିବେ କିଏ ହାରିବେ, କଣ କହୁଛନ୍ତି ଜନତା ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ।
ଜିଲ୍ଲା ମୁଖ୍ୟାଳୟ ଠାରୁ ପାଖାପାଖି 90 କିମି ଦୂରରେ ଅବସ୍ଥିତ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ । ଜିଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ଅନୁଗୋଳ, ଆଠମଲ୍ଲିକ, ଛେଣ୍ଡିପଦା, ତାଳଚେର ଅପେକ୍ଷା ପାଲଲହଡା ବିଧାନସଭା କ୍ଷେତ୍ର ସେତେ ବିକଶିତ ହୋଇପାରିନି । ଶିଳ୍ପ ବହୁଳ ଅନୁଗୋଳ ଜିଲ୍ଲା ରାଜ୍ୟର ଅର୍ଥନୀତିକୁ କରିଛି ସମୃଦ୍ଧଶାଳୀ । ହେଲେ ଆଜି ଯାଏ ସମ୍ପୂର୍ଣ୍ଣ ଅନୁଗୋଳ ଜିଲ୍ଲା ହୋଇପାରିଲା ନାହିଁ ପୂର୍ଣ୍ଣ ବିକଶିତ । ବିଧାନସଭା ନିର୍ବାଚନ ମଣ୍ଡଳୀ ନମ୍ବର-୫୯ ରେ ଥିବା ଏହି ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ଅଞ୍ଚଳ ଜଙ୍ଗଲ ଅଧ୍ୟୁଷିତ । ଏହି ନିର୍ବାଚନ ମଣ୍ଡଳୀରେ ଶତକଡା ପ୍ରାୟ ୩୦ ଭାଗ ଆଦିବାସୀ ବସବାସ କରନ୍ତି । କହିବାକୁ ଗଲେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥା ସେତେଟା ଭଲ ନୁହେଁ । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଏବଂ କୃଷି ଲୋକଙ୍କର ମୁଖ୍ୟ ଜୀବିକା । ଆବଶ୍ୟକ ଜଳସେଚନର ଅଭାବରୁ ଚାଷୀକୂଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅଧିକ ପଢନ୍ତୁ- Chhendipada Constituency: ମିଶନ ୨୪ ପାଇଁ ପାଗଭିଡା, କିଏ ହାତେଇବ ଛେଣ୍ଡିପଦା ସିଟ୍ ?
ପାଲଲହଡା ବିଧାନସଭା କ୍ଷେତ୍ର ଅବସ୍ଥିତି: ପାଲଲହଡା ବ୍ଲକର ୨୭ଟି ପଞ୍ଚାୟତ ଓ କଣିହାଁ ବ୍ଲକର ୧୯ଟି ପଞ୍ଚାୟତ ଏହିପରି ମୋଟ ୪୬ଟି ପଞ୍ଚାୟତକୁ ନେଇ ଗଠିତ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ବିଧାନସଭା ଆସନର ମୋଟ ଭୋଟରଙ୍କ ସଂଖ୍ୟା ୧,୬୭,୯୬୪ ଅଛନ୍ତି । ସେମାନଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୮୧,୧୬୬ ହୋଇଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୮୬,୭୯୮ ଅଛନ୍ତି । ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟ କେନ୍ଦ୍ର ସଂଖ୍ୟା ୨୬୦ । ଏହି ଆସନଟି ବହୁ ଦିନରୁ ଅଣସଂରକ୍ଷିତ ଭାବେ ଚାଲି ଆସିଛି । ତେଣୁ ପ୍ରତ୍ୟେକ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଛାଡି ସ୍ବାଧୀନ ଓ ଅନ୍ୟ ଦଳୀୟ ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟା ଅଧିକ ରହୁଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ଏଠାରେ ୧୦ଜଣ ପ୍ରତିଦ୍ବନ୍ଦିତା କରୁଥିଲେ। କିନ୍ତୁ ବିଜେଡି ଓ ବିଜେପି ମଧ୍ୟରେ ହୋଇଥିଲା ଲଢେଇ ।
ବିଜେଡି ପ୍ରାର୍ଥୀ ମୁକେଶ ପାଲ ମୋଟ ୫୯୩୫୦ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଅଶୋକ ମହାନ୍ତିଙ୍କ ଠାରୁ ୬୨୧୪ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ବିଜେପିର ଅଶୋକ ମହାନ୍ତି ୫୩୧୩୬ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସର ସୁବ୍ରତ ଗଡନାୟକ ୧୨୨୬୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଅନ୍ୟାନ୍ୟ ଦଳ ତଥା ସ୍ବାଧୀନ ପ୍ରାର୍ଥୀ ଭାବେ ସନ୍ଦୀପ ପ୍ରଧାନ ୪୫୮୬ ଖଣ୍ଡ, ଅନ୍ୟ ସ୍ୱାଧିନ ପ୍ରାର୍ଥୀ ସରୋଜିନୀ ସାହୁ ୭୦୭ ଖଣ୍ଡ ଓ ଦୋଳ ଗୋବିନ୍ଦ ମହାପାତ୍ର ୫୨୪ଖଣ୍ଡ, ଏସୟୁସିଆଇ ପ୍ରାର୍ଥୀ ନିର୍ମଳା ପ୍ରଧାନ ୭୯୬ ଖଣ୍ଡ, ଆମ୍ବେଦକର ପାର୍ଟିର ବିଜୟ କୁମାର ବେହେରା ୮୬୯ ଖଣ୍ଡ, ବିଏସପି ପ୍ରାର୍ଥୀ ବିନୋଦ ବିହାରୀ ବୋଇତ ୨୪୦୨, ସିପଏମ ପ୍ରାର୍ଥୀ ମିନା ପ୍ରଧାନ ୧୭୭୫ ଖଣ୍ଡ ଭୋଟ ପାଇଥିଲେ ।
ଗତ ୨୦୧୯ରୁ ଆସନ୍ତା ନିର୍ବାଚନକୁ ଦେଖିଲେ ଏହା ମଧ୍ୟରେ ଅନେକ ପରିବର୍ତ୍ତନ ହୋଇସାରିଛି ପାଲଲହଡା। ନେତା ବଦଳିଛନ୍ତି । ବିଭିନ୍ନ ଦଳର ନେତୃତ୍ବ ବଦଳିଛନ୍ତି । ଯୁବ କର୍ମୀ ମାନେ ଆଗେଇ ଆସିଛନ୍ତି। ଆଶାୟୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆସନ୍ତା ନିର୍ବାଚନକୁ ନେଇ ଭିନ୍ନ ଭିନ୍ନ ଭୋଟରଙ୍କ ଭିନ୍ନ ଭିନ୍ନ ମତ ରହିଛି । କେତେକ ଭୋଟର ରାସ୍ତା, ଡ୍ରେନ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ସମସ୍ୟା ଭଳି ମୌଳିକ ସେବା କଥା ଉଠାଉଛନ୍ତି । ଏହାଛଡା ବିସ୍ଥାପନ ସମସ୍ୟା ଏକ ବଡ ସମସ୍ୟା ହୋଇ ରହିଛି । ଏସବୁ ମୁଖ୍ୟ ସମସ୍ୟା ହୋଇ ଥିବାରୁ ଯେଉଁ ପ୍ରାର୍ଥୀ ଏହାର ସଠିକ ସମାଧାନ ପାଇଁ ପ୍ରତିଶ୍ରୁତି ଦେବ ସେଭଳି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବିଚାର କରୁଛନ୍ତି ଭୋଟର ।
ପାଲଲହଡାରେ ପ୍ରସଙ୍ଗ: ସେପଟେ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳର ଭିନ୍ନ ଭିନ୍ନ ମୁଦ୍ଦା ରହିଛି । ଶାସକ ବିଜେଡି ଜାଗା ମିଶନ, ପାନୀୟ ଜଳ ଯୋଗାଣ, ଜଳ ସେଚନ, ବିଜୁ ସ୍ବାସ୍ଥ୍ୟ ଯୋଜନା, ମହିଳା ସଶକ୍ତିକରଣ ଭଳି ବଡ଼ ବଡ଼ ସଫଳ ଯୋଜନାକୁ ନେଇ ଭୋଟରଙ୍କ ନିକଟତର ହେବାକୁ ଯୋଜନା କରୁଛି। ଏହାଛଡା ବିଗତ ଦିନରେ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପାଲଲହଡ଼ା ଗସ୍ତ କରି ବିଭିନ୍ନ ରାସ୍ତା, ପୋଲ, ପର୍ଯ୍ୟଟଣାସ୍ଥଳୀ ଧାର୍ମିକ ଅନୁଷ୍ଠାନ ଗୁଡିକର ନବୀକରଣ ଓ ଉନ୍ନତି ପାଇଁ କୋଟି କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି। ଅନେକ ସ୍ଥାନରେ ସେଗୁଡିକର କାମ ଆରମ୍ଭ କରାଯାଇଛି । ବିଜେଡି ଏହାକୁ ପାଥେୟ କରି ଭୋଟରଙ୍କ ପାଖକୁ ଯିବାକୁ ସ୍ଥିର କରିଛି । ଅନେକ ସମୟରେ କେନ୍ଦ୍ରୀୟ ଅବହେଳା ଅଭିଯୋଗ ନେଇ ମଧ୍ୟ ଆନ୍ଦୋଳନ କରୁଛି । ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାର ବିକାଶ ପାଇଁ ବ୍ୟାପକ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି । ତେଣୁ ବିଜେପି ଏହାକୁ ପାଥେୟ କରି ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ କରିଛି।
ଏହାଛଡା ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ଦୀର୍ଘ ବର୍ଷ ହେଲା ରେଙ୍ଗାଲି ବୁଡି ଅଞ୍ଚଳ କ୍ଷତିଗ୍ରସ୍ତଙ୍କ ସମସ୍ୟା, ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ନିର୍ମାଣ, ଆବାସ ବଣ୍ଟନରେ ଅନିୟମିତତା, ଆଦିବାସୀଙ୍କ ଉନ୍ନତି ପାଇଁ ଆସୁଥିବା ଅର୍ଥ ବାଟମାରଣା ଆଦି ଅନେକ ପ୍ରସଙ୍ଗକୁ ନେଇ ବିଜେପି ନିର୍ବାଚନୀ ମୈଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ କରିଛି। ବିଜେପି ବ୍ୟାପକ କେନ୍ଦ୍ରୀୟ ଅନୁଦାନକୁ ମୁଖ୍ୟ ମୁଦ୍ଦା କରିବା ସହ ଗାଁ ଗାଁ ଓ ପଞ୍ଚାୟତ ସ୍ତରରେ ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନ କରୁଛି । ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି । ବୁଥ ସ୍ତରରେ ଦଳୀୟ ସଙ୍ଗଠନକୁ ମଜବୁତ କରୁଛି । ଏଠାରେ ବିଜେପି ଭଲ ସ୍ଥିତିରେ ରହିଥିବା କଥା କହିଛି ଦଳ । କଂଗ୍ରେସ ମଧ୍ୟ ଗତ ୨୦୧୯ନିର୍ବାଚନ ଅପେକ୍ଷା ଏଥର ସାମାନ୍ୟ ସକ୍ରିୟ ଜଣା ପଡୁଛି । କଂଗ୍ରେସର ପୂର୍ବ ଥରର ବିଧାୟକ ପ୍ରାର୍ଥୀ ତଥା ଏଥର ଦଳୀୟ ଟିକେଟ ପାଇବାକୁ ଆଶା ରଖିଥିବା ସୁବ୍ରତ ଗଡନାୟକ ସେ ଅଞ୍ଚଳରେ ଭଲ ଭାବେ ଜଣାଶୁଣା । ଏବେ ଠାରୁ ବୁଡି ଅଞ୍ଚଳ ବିସ୍ଥାପିତ ଓ ବେକାରୀ ଯୁବକ ଯୁବତୀଙ୍କ ନିଯୁକ୍ତିକୁ ନେଇ ଜୋର ଦାର ଆନ୍ଦୋଳନ ଚଳାଇଛନ୍ତି କଂଗ୍ରେ ନେତା। ତେଣୁ ଏଥର ଭୋଟର ତାଙ୍କୁ ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି ।
ଅଧିକ ପଢନ୍ତୁ- 2024 Election: ରେଙ୍ଗାଲି ଆସନ ପାଇଁ କିଏ ହେବ ବିଜେଡି ପ୍ରାର୍ଥୀ ?
ପାଲଲହଡା ଇତିହାସ: 2000 ମସିହାରେ ପାଲଲହଡା ବିଧାନସଭା ଆସନରୁ ନିର୍ବାଚିତ ହୋଇ ପ୍ରଥମଥର ବିଧାନସଭାକୁ ଆସିଥିଲେ ବର୍ତ୍ତମାନର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 2004 ନିର୍ବାଚନରେ ବିଜେଡି ବିଜେପି ମେଣ୍ଟ ସରକାରରେ ଏହି ଆସନରୁ ନିର୍ବାଚିତ ହୋଇଥିଲେ ବିଧାୟକ ନୃସିଂହ ସାହୁ । 2009 ମସିହାରେ ବିଜେଡି ବିଜେପି ମେଣ୍ଟ ଭାଙ୍ଗିବା ପରେ ପୁଣି ଥରେ ପାଲଲହଡାରୁ ଲଢିଥିଲେ ବିଜେପି ପ୍ରାର୍ଥି ଧର୍ମେନ୍ଦ୍ର ପ୍ରଧାନ । ହେଲେ ବିଜେଡି ପ୍ରାର୍ଥୀ ରବି ପାଣିଙ୍କ ଠାରୁ ପରାଜିତ ହୋଇଥିଲେ । 2014ରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରି ବର୍ତ୍ତମାନର ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ହେଲେ 2014 ବେଳକୁ ଧର୍ମେନ୍ଦ୍ର ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିସାରିଥିବାରୁ ଆଉ ନିର୍ବାଚନ ଲଢିନଥିଲେ । ସେହିପରି 2019 ରେ ବିଜେଡି ପୁଣି ପ୍ରାର୍ଥୀ ପରିବର୍ତ୍ତନ କରି ଯୁବ ବିଜେପି ନେତା ମୁକେଶ ପାଲଙ୍କୁ ଦଳକୁ ଆଣି ଟିକେଟ ଦେଇଥିଲା । ମୁକେଶ ମଧ୍ୟ ବିଜୟୀ ହୋଇ ଏବେ ବିଧାୟକ ଅଛନ୍ତି ।
ଯଦିଓ କୌଣସି ଦଳରୁ କୌଣସି ନେତା ନିଜକୁ ଟିକେଟ ଦାବିଦାର ଭାବେ ଉପସ୍ଥାପତି କରିନାହାଁନ୍ତି, ତଥାପି ତିନି ଦଳରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଶାଯୀ ମାନେ ମଧ୍ୟ ନିଜ ନିଜ ସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ସବୁ ଭିତରେ ସବୁ ଦଳ ପାଇଁ ଦଳୀୟ କନ୍ଦଳ ମଧ୍ୟ ବଡ ସମସ୍ୟା ହୋଇପାରେ । ଏବେ ଅପେକ୍ଷା କିଏ ମାରୁଛି ପାଲଲହଡା ବାଜି।
ଇଟିଭି ଭାରତ, ଅନୁଗୋଳ