ଅନୁଗୋଳ: ପଞ୍ଚାୟତ ଅଫିସ ପାଇଁ ବିବାଦ । କେଉଁଠି ହେବ ନୂଆ ପଞ୍ଚାୟତର କାର୍ଯ୍ୟାଳୟ ତାକୁ ନେଇ ବିଡ଼ିଓଙ୍କ ନିକଟରେ ଫେରାଦ ହୋଇଛନ୍ତି ପାଞ୍ଚଟି ଗ୍ରାମର ଗ୍ରାମବାସୀ । 2017 ମସିହାରୁ ପଞ୍ଚାୟତ ଗଠନ ହୋଇଥିଲେ ବି ଏପର୍ଯ୍ୟନ୍ତ କାର୍ଯ୍ୟାଳୟ ଗଠନ ହୋଇପାରିନାହିଁ । ଫଳରେ କାର୍ଯ୍ୟାଳୟରେ କୌଣସି କାମ ଠିକରେ ହୋଇ ପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଳକ ବଡ଼ହିଂସର ପଞ୍ଚାୟତ ଗଠନ ହେବାର ଦୀର୍ଘ ଦିନ ବିତିଥିଲେ ବି ଆଜି ସୁଦ୍ଧା ସ୍ଥାୟୀ ପଞ୍ଚାୟତ ଗୃହ ନିର୍ମାଣ ହୋଇ ପାରୁନି । ସରକାରୀ ତହସିଲରେ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ଟଙ୍କା ପଡି ରହିଥିଲେ ବି ଏପର୍ଯ୍ୟନ୍ତ ଜାଗା ଚିହ୍ନଟକୁ ନେଇ ଗାଁ ଗାଁ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁଁ ନୂତନ ଗୃହ ନିର୍ମାଣ ହୋଇ ପାରୁନି । ଯେଉଁ ସ୍ଥାନରେ ବଡ଼ହିଂସର ଗ୍ରାମର ଶେଷ ସୀମାରେ ଅସ୍ଥାୟୀ କାର୍ଯ୍ୟାଳୟ ଚାଲିଛି ସେଠାରେ ନୂତନ କାର୍ଯ୍ୟାଳୟ ନିର୍ମାଣକୁ ନେଇ ପାଞ୍ଚୟତର ୬ଟି ଗ୍ରାମ ରାଉତାଳ, ସାନହିଂସର, ବଡ଼ହିଂସର, ତାମଡ଼ାକଟା, ବିମାଲବେଡା, ନାକଚିନିପାଳକୁ ନେଇ ଗଠିତ ।
ଏହା ମଧ୍ୟ ପଢ଼ନ୍ତୁ: ସମସ୍ୟା ଘେରରେ ଖୁଣ୍ଟିଗୋରା ପଞ୍ଚାୟତ କାର୍ଯ୍ୟାଳୟ, ଶୌଚାଳୟରେ ଚାଲିଛି ରୋଷେଇ
ତେବେ ବଡ଼ହିଂସର ଗ୍ରାମର ଶେଷ ସୀମାରେ ପଞ୍ଚାୟତ କାର୍ଯ୍ୟାଳୟ ହେବାକୁ ଯାଉଛି । କିନ୍ତୁ ବଡ଼ହିଂସର ବ୍ୟତୀତ ଏହାକୁ ଅନ୍ୟ ସବୁ ଗ୍ରାମର ଲୋକେ ବିରୋଧ କରୁଛନ୍ତି । ତାଙ୍କର ଦାବି ଗ୍ରାମ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ କଡ଼ରେ ପଞ୍ଚାୟତ କାର୍ଯ୍ୟାଳୟ କରାଯାଉ । ଗ୍ରାମବାସୀ କହିଛନ୍ତି, "ଯେଉଁ ସ୍ଥାନରେ ନୂତନ ଗୃହ ହେବାକୁ ଥିଲା ସେଠାରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଥିଲା । କିନ୍ତୁ ୫ଟି ଗ୍ରାମ ଲୋକ ଏହାକୁ ବିରୋଧ କରୁଛନ୍ତି । ବଡ଼ହିଂସର ଗ୍ରାମରେ ଏହି ନୂତନ ଗୃହ ନିର୍ମାଣ ହେଲେ ଅନ୍ୟ ୫ଟି ଗ୍ରାମରୁ ଏହା ୫ କିମି ଦୂର ହେବ । ତେଣୁ ଏତେ ଦୂର ଯିବା ଲୋକଙ୍କ ପକ୍ଷେ ସମ୍ଭବ ହେବ ନାହିଁ ।"
ଏହି ବିବାଦକୁ ନେଇ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ନିର୍ଦ୍ଦେଶ ମୁତାବକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଜି(ସୋମବାର) ଲୋକଙ୍କ ଦାବି ଶୁଣାଣି କରିଛନ୍ତି । ନୂତନ ଗୃହ ନିର୍ମାଣ ବିରୋଧ କରୁଥିବା ୫ଟି ଗ୍ରାମର ଲୋକେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନିଜ ନିଜର ପକ୍ଷ ରଖିଛନ୍ତି । ଏନେଇ ବିଡିଓଙ୍କ କହିବା କଥା, ସବୁ ସରକାରୀ ନିୟମ ଅନୁଯାୟୀ କରାଯାଇଛି । କୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି ସେ ଆଧାରରେ ପରବର୍ତ୍ତୀ ପଦକ୍ଷେପକୁ ନିଆଯିବ ।
ଇଟିଭି ଭାରତ, ଅନୁଗୋଳ