ଅନୁଗୋଳ: ପାଠପଢା ପରେ ଏବେ ଯୁବପିଢି କେଉଁ କର୍ଯ୍ୟ କରିବେ ତାକୁ ନେଇ ଚିନ଼୍ତାରେ ରୁହନ୍ତି । କିନ୍ତୁ ଅନୁଗୋଳ ଜିଲ୍ଲା ବନ୍ତଳା ଗାଁର ବିଜୟ ବୀର ଚିନ୍ତାଧାରା ଥିଲା ଭିନ୍ନ । ସେ କଲେଜ ପାଠପଢ଼ା ଶେଷ କରିବା ପରେ ଚାକିରି ନକରି ଚାଷ କରିବାକୁ ମନ ବଳାଇ ଥିଲେ। ସେ ୧୯୯୮ରେ ଓୟୁଏଟିରେ ସରକାରୀ ବିଜ୍ଞାପନ ଦେଖି କିଛି ମାସ ତାଲିମ ନେଇଥିଲେ। ତାଲିମ ସମୟ ମଧ୍ୟରେ ସେ ମହୁ ଚାଷ ପ୍ରତି ଆକୃଷ୍ଟ ହେଲେ । ବିଜୟ ପ୍ରଥମେ ୩ଟି ମହୁ ବାକ୍ସ ନିଜ ଘର ଅଗଣାରେ ବସାଇଲେ । ସେଥିରେ ସେ ବେଶ ସଫଳତା ପାଇଲେ । ତାପରଠାରୁ ସେ କେବେ ପଛକୁ ଫେରି ନାହାନ୍ତି ।
କିପରି ନିଅନ୍ତି ମହୁଚାଷର ଯତ୍ନ ?: ସକାଳୁ ସଞ୍ଜ ଯାଏଁ ବିଜୟ ନିଜ ସ୍ତ୍ରୀଙ୍କ ସହ ମହୁ ବାକ୍ସ ବସାଯାଇଥିବା ସ୍ଥାନରେ କାମ କରନ୍ତି । କେଉଁଠି ମହୁମାଛିକୁ ସରୀସୃପ ଖାଇବାରୁ ଅଟକାଇବା ତ ଆଉ କେଉଁଠି ବାକ୍ସ ତଳେ ବୁଦା ସଫା କରିବା ଆଦି କାମ କରନ୍ତି । ନିୟମିତ ବ୍ୟବଧାନରେ ବାକ୍ସ ଭିତରେ ଥିବା ମାଛି ସୁରକ୍ଷିତ ଅଛନ୍ତି କି ନାହିଁ ତାହା ମଧ୍ୟ ଯାଞ୍ଚ କରନ୍ତି । ଅମଳ ସମୟ ଆସିଲେ ବାକ୍ସ ଭିତରୁ ମହୁ ଫେଣା ବାହାର କରି ମହୁ ସଂଗ୍ରହ କରନ୍ତି । ବର୍ଷ ସାରା ତାଙ୍କର ଏଭଳି କାମ ଚାଲୁ ରହି ଥାଏ।
ମହୁଚାଷ କରି କେତେ ଆୟ କରୁଛନ୍ତି ବିଜୟ: ବର୍ତ୍ତମାନ ସେ ୩୦୦ରୁ ଅଧିକ ମହୁ ବାକ୍ସ ବସାଇଛନ୍ତି । ବର୍ଷକୁ ପ୍ରାୟ ୧୦ କୁଇଣ୍ଟାଲ ମହୁ ଉତ୍ପାଦନ କରି ପାରୁଛନ୍ତି । ତାଙ୍କ ଦ୍ବାରା ଉତ୍ପାଦିତ ମହୁ ବିଶେଷ ଭାବେ ଖଦି ବୋର୍ଡ କିଣି ନେଉଛି । ଏହାଛଡା ନିଜ ଗାଁ ସମେତ ଆଖପାଖ ଅଞ୍ଚଳର ଲୋକେ ମହୁ କିଣି ନେଉଛନ୍ତି । କେଜି ପ୍ରତି ୫ଶହ ଟଙ୍କାରେ ମହୁ ବିକ୍ରି ହେଉଛି । ବାର୍ଷିକ ସେ ୧୦ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରି ପାରୁଛନ୍ତି । ଆଜିକୁ ୨୫ବର୍ଷ ହେଲା ସେ ମହୁ ଚାଷ କରୁଛନ୍ତି ।
ସଫଳ ମହୁଚାଷୀ ବିଜୟ: ସଫଳ ମହୁଚାଷୀ ଭାବରେ ବିଜୟଙ୍କୁ ବିଭିନ୍ନ କୃଷି ଭିତ୍ତିକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି । ଏହାସହ ତାଙ୍କର ଏହି ସଫଳତା ଯୋଗୁଁ କୃଷି ଓ ଉଦ୍ୟାନ ବିଭାଗ ତାଙ୍କୁ ପ୍ରଶିକ୍ଷକ ଭାବେ ବିଭିନ୍ନ ସ୍ଥାନକୁ ନେଉଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମହୁଚାଷ ପାଇଁ ପ୍ରୋତ୍ସାହନ ଦେଇ ବିଜୟ ମହୁ ବାକ୍ସ ଯୋଗାଇ ଦେବା ସହ ନିଜେ ଯାଇ ତାଲିମ ଦେଉଛନ୍ତି । କେବଳ ଅନୁଗୁଳ ଜିଲା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ତାଲିମ ଦେଉଛନ୍ତି ବିଜୟ । ମହୁର ଔଷଧୀୟ ଗୁଣ ଯୋଗୁଁ ବେଶ ଚାହିଦା ରହିଛି । ବିଜୟଙ୍କ ଭଳି ଜଣେ ଉଦ୍ୟମୀ ଯୁବକ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।
ଇଟିଭି ଭାରତ, ଅନୁଗୋଳ