ଅନୁଗୋଳ: ଗାଁ ନିର୍ବାଚନ ଶେଷ ହେବା ପରେ ଏବେ ହେବାକୁ ଯାଉଛି ସହରୀ ନିର୍ବାଚନ । ସେଥିପାଇଁ ସବୁଆଡେ ସଜବାଜ। ଅନୁଗୋଳ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି ତତ୍ପରତା। ଅନୁଗୋଳ ଜିଲାରେ ଅନୁଗୋଳ ଓ ତାଳଚେର ମ୍ୟୁନସିପାଲଟି ଥିବା ବେଳେ ଆଠମଲ୍ଲିକରେ ଏନଏସି ଅଛି। ଗତ ୨୦୧୮ ରେ ଏହି ୩ ଟି ସହର ପାଇଁ ନିର୍ବାଚିତ ପ୍ରତିନିଧି ମାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆଉ ନିର୍ବାଚନ ହୋଇ ନାହିଁ। ଏବେ ଆଗକୁ ନିର୍ବାଚନ ଥିବାରୁ ପ୍ରଶାସନ ଠାରୁ ନେଇ ବିଭିନ୍ନ ରାଜନୈତିକ ଦଳ ଏବଂ ଆଶାୟୀ ପ୍ରାର୍ଥୀ ସମସ୍ତେ ଲାଗି ପଡିଛନ୍ତି ନିଜ ନିଜ ପ୍ରସ୍ତୁତିରେ।
ଗାଁ ନିର୍ବଚନ ଶେଷ ହେଉ ହେଉ ଆରମ୍ଭ ହୋଇଛି ସରାଞ୍ଚଳରେ ନିର୍ବାଚନ ପାଇଁ ପ୍ରସ୍ତୁତି । ବାଜିଛି ପୌର ନିର୍ବାଚନ ବିଗୁଲ । ଅନୁଗୋଳ ଜିଲ୍ଲାରେ ଅନୁଗୋଳ , ତାଳଚେର ମ୍ୟୁନସିପାଲଟି ସମେତ ଆଠମଲ୍ଲିକ ବିଜ୍ଞାପିତ ଆଞ୍ଚଲିକ ପରିଷଦରେ ହେବାକୁ ଯାଉଛି ପୌର ନିର୍ବାଚନ। ରିପୋର୍ଟ ଅନୁସାରେ ଅନୁଗୋଳ ପୋରାଞ୍ଚଳ ରେ ଥିବା ୨୩ ଟି ୱାର୍ଡର ମୋଟ ୩୪ ହଜାର ୨୯୩ ଜଣ ମତଦାତା ତାଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥର ପୌର ଅଧ୍ୟକ୍ଷ ପଦବି ପାଇଁ ସିଧାସଳଖ ନିର୍ବାଚନ ହେଉଛି । ସେହିପରି ତାଳଚେର ପୌରାଞ୍ଚଳର ୨୧ ଟି ୱାର୍ଡ ର ୨୮ ହଜାର ୪୮୧ ମତଦାତା ରହିଥିବା ବେଳେ ଏଠାରେ ପୌର ଅଧ୍ୟକ୍ଷ ପଦବି ଅଣସଂରକ୍ଷିତ ରହିଛି। ଆଠମଲ୍ଲିକ ଏନଏସିରେ ମୋଟ ଭୋଟରଙ୍କ ସଂଖ୍ୟା ୯ ହଜାର ୭୮୧ ଜଣ ରହିଛନ୍ତି। ଏନଏସି ଅଧ୍ୟକ୍ଷ ପଦବୀଟି ମହିଳା ବର୍ଗ ପାଇଁ ସଂରକ୍ଷିତ ରହିଛି। ସେହି ହିସାବରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ୱାର୍ଡରେ ପ୍ରାର୍ଥୀ ଦେବାପାଇଁ ନିଷ୍ପତି ନେଇଛନ୍ତି। । ବିଜେଡି ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଶାତୀତ ସଫଳତା ପାଇବା ପରେ ଏଥର ପୌର ନିର୍ବାଚନରେ ମଧ୍ୟ ସେହି ଧାରା ବଜାୟ ରଖିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି।
ଏହି ୩ ଟି ଯାକ ପୌରାଞ୍ଚଳର ପୁରୁଣା ତଥ୍ୟ ଦେଖିଲେ ଜଣା ପଡୁଛି ଯେ ୨୦୧୮ ପର୍ଯ୍ୟନ୍ତ ଅନୁଗୋଳ ମ୍ୟୁନସିପାଲଟିକୁ କଂଗ୍ରେସ କବଜ୍ଜାରେ ଥିଲା । ସେହିପରି ଆଠମଲ୍ଲିକ ଏନଏସି ମଧ୍ୟ ଦଖଲ କରିଥିଲା କଂଗ୍ରେସ । କିନ୍ତୁ ଗତ ନିର୍ବାଚନରେ ତାଳଚେର ମ୍ୟୁନସିପାଲଟିକୁ ବିଜେଡି ନିଜ କବଜା କୁ ନେଇଥିଲା । ସେତେବେଳେ କାଉନସିଲର ମାନେ ଅଧ୍ୟକ୍ଷ ନିର୍ବାଚିତ କରୁଥିଲେ। କିନ୍ତୁ ଏଥର ସିଧା ସଳଖ ଅଧ୍ୟକ୍ଷ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ କିଛି ପରିବର୍ତନ ଆଶା କରା ଯାଉଛି। କଂଗ୍ରେସ ତାର ପୂର୍ବ ସ୍ଥିତି ବଜାୟ ରଖିବାକୁ ଅଣ୍ଟା ଭିଡିଛି। ବିଜେପି ପୌର ନିର୍ବାଚନରେ ନିଶ୍ଚିତ ସଫଳତା ପାଇବ ବୋଲି ଆଶା ରଖି କାମ କରୁଛି।
ସେପଟେ ଅନୁଗୋଳ ର ପୂର୍ବତନ ୩ ଜଣ ନଗରପାଳ କଂଗ୍ରେସ ଛାଡି ଆସି ବିଜେଡିରେ ସାମିଲ ହୋଇଛନ୍ତି । ତେଣୁ ଅଧ୍ୟକ୍ଷ ପଦ ପାଇଁ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ତେବେ ଦୀର୍ଘ ୪/୫ବର୍ଷ ପର୍ଯ୍ୟନ୍ତ ପୌରାଞ୍ଚଳର ଦାୟିତ୍ବ ପ୍ରଶାସନ ହାତରେ ଥିଲା। ତେଣୁ ସାଧାରଣ ଲୋକେ ଯେତିକି ସୁବିଧା ପାଇବା କଥା ସେତିକି ପାଇ ପାରୁ ନଥିଲେ। ତେଣୁ ଏଥର ନିର୍ବାଚନ କରିବାକୁ ସରକାରଙ୍କ ନିଷ୍ପତିକୁ ସହରବାସୀ ସ୍ବାଗତ କରିଛନ୍ତି।
ପ୍ରଶାସନ ଠାରୁ ନେଇ ଆଶାୟୀ ପ୍ରାର୍ଥୀ ଏବଂ ଭୋଟର ସମସ୍ତେ ନିଜନିଜ ସ୍ତରରେ ପ୍ରସ୍ତୁତ ହେଉଛନ୍ତି। ଦୀର୍ଘ ଦିନର ଅପେକ୍ଷାରେ ଅନ୍ତ ଘଟିଛି। ଖୁବ ଶୀଘ୍ର ନିର୍ବାଚନ ହେବ। ଲୋକେ ଭୋଟ ଦେଇ ନିଜ ନିଜର ପସନ୍ଦର ନେତା ବାଛିବେ। ସମସ୍ତ ପୌରାଞ୍ଚଳର ସମସ୍ୟା ସମାଧାନ ହୋଇ ପାରିବ।।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ