ଅନୁଗୋଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବାଘୁଣୀର ଯତ୍ନ ନେବାକୁ ନିବେଦନ । ମଧ୍ୟପ୍ରଦେଶରୁ ସାତକୋଶିଆ ଆସି ବନ୍ଦୀ ଥିବା ବାଘୁଣୀକୁ କାହ୍ନା ଟାଇଗର ରିଜର୍ଭକୁ ସ୍ଥାନାନ୍ତରିତ ହେବା ପର୍ଯ୍ୟନ୍ତ ତାର ଉପଯୁକ୍ତ ଯତ୍ନ ନେବାକୁ ନବୀନଙ୍କୁ ଅନୁରୋଧ କରିଛନ୍ତି ଶିବରାଜସିଂ ଚୌହାନ । ଏଭଳି ଏକ ଚିଠି ମଧ୍ୟପ୍ରଦେଶ ସରକାରଙ୍କ ଠୁ ଆସିବା ପରେ ବାଘୁଣୀ ଫେରିଯିବ ବୋଲି ସାତକୋଶିଆ ଅଧିବାସୀ ଏବେ ବେଶ ଖୁସି ।
ବାଘୁଣୀର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଉଦବେଗ ପ୍ରକାଶ କରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଯେ, ସ୍ଥାନାନ୍ତରଣ ହେବ ପର୍ଯ୍ୟନ୍ତ ଏକ ଅନୁକୂଳ ପରିବେଶ ଉପଲବ୍ଧ କରାଯାଉ । ଏନଟିସିଏର ଅନୁମତି ପରେ ରାଜ୍ୟର କାହ୍ନା ବ୍ୟାଘ୍ର ସଂରକ୍ଷଣ, ବାନ୍ଧବଗଡ଼ ଜାତୀୟ ଉଦ୍ୟାନ ଏବଂ ପେଞ୍ଚ ଜାତୀୟ ଉଦ୍ୟାନରେ ବ୍ୟାଘ୍ର ସଫାରି ନିର୍ମାଣ କରାଯାଉଛି । ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବାଘୁଣୀକୁ କାହ୍ନା ବ୍ୟାଘ୍ର ସଂରକ୍ଷଣସ୍ଥିତ ଗୋରେଲା କେନ୍ଦ୍ରରେ ସାମୟିକ ଭାବେ ରଖାଯିବ । ତେବେ ଗୋରେଲା କେନ୍ଦ୍ରରେ ଅନ୍ୟ ଏକ ବାଘ ତାଲିମ ନେଉଛି । ଏହାକୁ ଉପଯୁକ୍ତ ସ୍ଥାନରେ ଛଡ଼ାଯିବା ପରେ ବାଘୁଣୀକୁ କାହ୍ନା ବ୍ୟାଘ୍ର ସଂରକ୍ଷଣସ୍ଥିତ ଗୋରେଲା କେନ୍ଦ୍ରକୁ ଅଣାଯିବ । ତେବେ ବାଘୁଣୀର ସ୍ଥାନାନ୍ତର ଅଧିକ ସମୟ ନେଇପାରେ । ସେପର୍ଯ୍ୟନ୍ତ ତା'ର ଉପଯୁକ୍ତ ରକ୍ଷଣାବେକ୍ଷଣର ବ୍ୟବସ୍ଥା କରାଯିବାକୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କ ଚିଠିରେ ଅନୁରୋଧ କରିଛନ୍ତି ।
ଏବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ବାଘୁଣୀ ସମ୍ପର୍କରେ ଚିଠି ଲେଖିବା ପରେ ସୁନ୍ଦରୀ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ଏଥିପାଇଁ ଅଭୟାରଣ୍ୟ ବାସିନ୍ଦାଙ୍କ ମନରେ ଖୁସି । ଅଭୟାରଣ୍ୟ ବାସିନ୍ଦାଙ୍କ କହିବା କଥା ବ୍ୟଘ୍ର ପ୍ରକଳ୍ପ ପାଇଁ ଦୁଇଟି ବାଘ ଆଣି ଏଠାରେ ଛାଡିବା ପରେ ଯାହା ଅସୁବିଧା ହୋଇଛି ତାହା ସେମାନେ ଅଙ୍ଗେ ନିଭେଇଛନ୍ତି । ବାଘୁଣୀ ସୁନ୍ଦରୀ 2 ଟି ମଣିଷ ମାରିଛି । ଲୋକେ ଚାଷ ବାସ କରିବାକୁ ବିଲବାଡିକୁ ଯାଇ ପାରିଲେ ନାହିଁ । ଶୌଚ ପାଇଁ ନାଳକୁ ଗଲେ ନାହିଁ । ଦିନ ରାତି ତାଟି କବାଟ ପକାଇ ଘରେ ରହିଲେ । ବ୍ୟଘ୍ର ପ୍ରକଳ୍ପ ଯୋଗୁଁ ଲୋକେ କାମଧନ୍ଦା କରି ନପାରି ଭୋକ ଉପାସରେ ରହିଲେ । ତେଣୁ ଏଠାରେ ବ୍ୟଘ୍ର ପ୍ରକଳ୍ପ ନହେଉ ବୋଲି ସ୍ଥାନୀୟ ଲୋକେ ଜିଦ ଧରି ବସିଥିଲେ । କିନ୍ତୁ ପୋଲିସ ଗିରଫଦାରୀ ଭୟରେ ଲୋକେ ବାଧ୍ୟ ହୋଇ ଚୁପ ରହିଥିଲେ । ଏବେ ସୁନ୍ଦରୀ ଯିବା ଖବର ଶୁଣି ଅଞ୍ଚଳ ବାସୀ ବେସ ଖୁସୀ ।
ତେବେ ବାଘୁଣୀର ଭାଗ୍ୟ ଏବେ ଚିଠିରେ ସୀମିତ । ଦୁଇ ବର୍ଷ ହେବ ବାଘୁଣୀ ବନ୍ଦିଥିବା ବେଳେ ଏଥର ଚିଠି ପରେ ବାଘୁଣୀ ଫେରିଯିବ ନା ଏହିଭଳି ବନ୍ଦୀ ରହିବ ତାକୁ ନେଇ ଲାଗି ରହିଛି ଅନିଶ୍ଚିତତା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ