ଅନୁଗୋଳ: ବିକ୍ରି ହୋଇ ନପାରି ପଡି ରହିଛି ହଜାର ହଜାର ମାଟି ତିଆରି ସାମଗ୍ରୀ। ଅନେକ କୁମ୍ଭାର ପରିବାରରେ ଏବେ ଚୁଲି ଜଳୁନି। କୋରୋନା କଟକଣା ବୁଡାଇ ଦେଇଛି ସେମାନଙ୍କ କୁଳ ବେଉସା। ଆଗକୁ କଣ କରିବେ, ସେହି ଚିନ୍ତାରେ ଦିନ କାଟୁଛନ୍ତି ସେମାନେ। ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ। ଜିଲ୍ଲାର ଅନୁଗୋଳ ବ୍ଲକ ଛେଳିଆପଡା ଗାଁରେ ।
ଯେଉଁଠି ପ୍ରାୟ ୫୦ରୁ ଅଧିକ କୁମ୍ଭାର ପରିବାର କେବଳ ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ଗୁଜୁରାଣ ମେଣ୍ଟାନ୍ତି । ମାତ୍ର ତାଲା ବନ୍ଦର ପ୍ରଭାବରେ ଭାଙ୍ଗିଯାଇଛି ସେମାନଙ୍କ ଆର୍ଥିକ ମେରୁଦଣ୍ଡ । ଛେଳିଆପଡା ଗାଁର କୁମ୍ଭାର ପରିବାର ଗୁଡିକର ଘର ଭିତରେ ଯୁଆଡେ ଦେଖିଲେ ମାଟି ତିଆରି ହାଣ୍ଡି, କଳସୀ , ଦୀପ, ରୂଖା, କୁଡୁଆ, ଫୁଲ କୁଣ୍ଡ ଓ ଆହୁରି ଅନ୍ୟାନ୍ୟ ଜିନିଷ ଗଦା ହୋଇ ରହିଛି।
![potter’s clan business](https://etvbharatimages.akamaized.net/etvbharat/prod-images/od-ang-01-angul-kumabar-corona-chinta-spl-pkg-7202779_14042020132424_1404f_1586850864_716.bmp)
ଯେଉଁଠି ଦିନରାତି ଶାଳରେ ନିଆଁ ଜଳୁଥିଲା ସେସବୁରେ ଆଜି ପାଉଁଶ ମୁଠାଏ ଦେଖିବାକୁ ମିଳୁନି। କୁମ୍ଭାର ଚକି ଆଉ ବୁଲୁନି। କେବଳ ଆଗକୁ ବର୍ଷା ଆଶଙ୍କାରେ କିଛି ଲୋକ ଯାହା ମାଟି ଅଛି ସେଥିରେ କିଛି କିଛି ସାମଗ୍ରୀ କରି ସୁଖାଉଛନ୍ତି। ଘରେ ଓ ଶାଳରେ ଆଉ ଗୋଟିଏ ବି ଜିନିଷ ରଖିବାକୁ ଚାଖଣ୍ଡେ ଜାଗା ନାହିଁ। ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୋରୋନା କଟକଣା ଯୋଗୁଁ ସବୁ ମନ୍ଦିର ବନ୍ଦ। ଯାନିଯାତ୍ରା ବନ୍ଦ। ହାଟ ବଜାର ମଧ୍ୟ ବନ୍ଦ। ତେଣୁ ବିକ୍ରି ହୋଇ ପାରୁନାହିଁ ମାଟି ତିଆରି ସାମଗ୍ରୀ ।
ଏହି କୁମ୍ଭାର ପରିବାର ମାନଙ୍କର ଜମି ବୋଲି କିଛି ନାହିଁ। ନିଜର କୌଳିକ ବୃତିରୁ ଯାହା କିଛି ରୋଜଗାର ହୁଏ, ସେଥିରେ ହିଁ ତେଲ ଲୁଣର ସଂସାର ଚାଲେ। ହେଲେ କୋରୋନା ସେମାନଙ୍କ ସଂସାର ଉଜଡ଼ି ଦେଇଛି। ଅନେକ ପରିବାର ଦିନକୁ ଦୁଇ ଓଳି ଭଲ କରି ଗଣ୍ଡେ ଖାଇବାକୁ ମଧ୍ୟ ପାଉନାହାଁନ୍ତି।
![potter’s clan business](https://etvbharatimages.akamaized.net/etvbharat/prod-images/od-ang-01-angul-kumabar-corona-chinta-spl-pkg-7202779_14042020132424_1404f_1586850864_377.bmp)
ଆଗକୁ ଲକଡାଉନ କୋହଳ ହେଲେ ସେମାନେ ଜିନିଷ ବିକ୍ରି କରିବାର ଆଶା ରଖିଛନ୍ତି। କିନ୍ତୁ ଏବେ ମାଟି ଜିନିଷ ପୋଡିବା ପାଇଁ କାଠ ଆଣି ପାରୁ ନାହାନ୍ତି ସେମାନେ। ଆବଶ୍ୟକ କାଠ ମିଳିଲେ ହୁଏତ ପର୍ଯ୍ୟାପ୍ତ ଜିନିଷ ପ୍ରସ୍ତୁତ କରି ରଖି ପରେ ବିକ୍ରି କରିପାରନ୍ତେ ଏମାନେ। ତେଣୁ ପରିବାରର ସଦସ୍ୟମାନେ ହାତ ବାନ୍ଧି ବସି ରହିଛନ୍ତି। ସରକାର ସେମାନଙ୍କ ଦୁଃଖ ବୁଝିବେ ବୋଲି ଆଶା ରଖିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ