ଅନୁଗୋଳ: ଅସୁସ୍ଥ ହୋଇ ପଡି ରହିଛି ତିନି ବର୍ଷର ହାତୀ ଛୁଆ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବନ୍ତଳା ବନଖଣ୍ଡ ରେଞ୍ଜ ଅଧିନ ମହିଧରପୁର ଜଙ୍ଗଲ ନିକଟରେ ଏକ ଛୁଆ ହାତୀ ୪ଦିନ ହେବ ଅସୁସ୍ଥ ହୋଇ ପୋଖରୀ ଭିତରେ ଠିଆ ହୋଇ ରହିଛି । ବନ କର୍ମଚାରୀମାନେ ତାକୁ ଦିନ ରାତି ଜଗି ରହିଛନ୍ତି । ମା' ହାତୀ ସମେତ ହାତୀ ପଲ ତାକୁ ଜଙ୍ଗଲରେ ଛାଡି ଚାଲି ଯାଇଛନ୍ତି । ୩ଦିନ ହେଲା ହାତୀ ଛୁଆକୁ ଚିକିତ୍ସା କରୁଛି ବନବିଭାଗ । ତେବେ ଆଜି (ଶନିବାର) ସକାଳ ସମୟରେ ଘଟଣାସ୍ଥଳରେ ସାତକୋଶିଆ ପଶୁ ଚିକିତ୍ସକ କିଶୋର ସାହୁ, ଅନୁଗୋଳ ଏସିଏଫ, ବନ୍ତଳା ରେଞ୍ଜର ଓ ଅନ୍ୟ କର୍ମଚାରୀମାନେ ପହଞ୍ଚି ହାତୀ ଛୁଆକୁ ଟ୍ରାଙ୍କୁଲାଇଜ କରି ସାଲାଇନ, ଇଞ୍ଜେକ୍ସନ ଓ ଔଷଧ ଦେଇଛନ୍ତି ।
ତେବେ ପୋଖରୀ ଭିତରେ ହାତୀ ଛୁଆଟି ବୁଡି ରହିଥିବାବେଳେ ବାହାରକୁ ଆଦୌ ବାହାରି ପାରି ନଥିଲା । ବନ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ଦୀର୍ଘ ସମୟ ପରେ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି । ଘଟଣାସ୍ଥଳରେ ହାତୀଟି ଦୁର୍ବଳ ହୋଇ ପଡ଼ିଥିବାରୁ ପୋଖରୀ ଉପରକୁ ଉଠି ପାରୁ ନଥିବା ନେଇ ବନବିଭାଗ ସୂଚନା ଦେଇଛି ।
ପରେ ହାତୀ ଛୁଆଟିକୁ ଦୁଇ ଡୋଜ୍ ଭିଟାମିନ ଦେବାପରେ ତାର ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟତମ ସୁଧାର ଆସିଥିବା ନେଇ ବନ୍ତଳା ରେଞ୍ଜର ସୂଚନା ଦେଇଛନ୍ତି । ତଥାପି ବନ କର୍ମଚାରୀମାନେ ତାକୁ ଜଗି ରହିଛନ୍ତି । ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମା ହାତୀ ଆସି ତାକୁ ନେଇଯିବ ବୋଲି ଆଶା ରଖିଛି ବନବିଭାଗ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ