ଅନୁଗୋଳ: ଜାଡରେ ଥରୁଛି ସାରା ଅନୁଗୋଳ । ଗତ କିଛି ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହୁଛି । ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ 6 ଡିଗ୍ରୀ ତଳେ ରହୁଛି ପାରଦ । ଫଳରେ ନାହିଁ ନଥିବା ଶୀତ ଅନୁଭୂତ ହେଉଛି । ବିଶେଷ କରି ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ଗୁଡିକରେ ଅସହ୍ୟ ଥଣ୍ଡା ପଡ଼ୁଛି । ସେପଟେ ବନ୍ୟଜନ୍ତୁ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢି ଯାଇଛି ।
ଅନୁଗୋଳ ଜିଲ୍ଲାରେ ପ୍ରବଳ ଶୀତ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଗତ ପ୍ରାୟ ସପ୍ତାହେ ହେଲା ତାପମାତ୍ରା ୧୦ଡିଗ୍ରୀ ତଳକୁ ରହୁଛି । ଫଳରେ ଶୀତର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି । ସେପଟେ ଜଙ୍ଗଲ ଅଧୀଷ୍ୟୁତ ଅଞ୍ଚଳ ଗୁଡିକରେ ଶୀତର ପ୍ରଭାବ ଅଧିକ ରହୁଛି । ସେ ସବୁ ଅଞ୍ଚଳରେ ତାପମାତ୍ରା ପ୍ରାୟ ୮ ଡିଗ୍ରୀ ତଳକୁ ରହୁଛି । ଘରୁ ବାହାରିବା ଅତ୍ୟନ୍ତ କଷ୍ଟକର ହୋଇ ପଡୁଛି । ଅପରାହ୍ନ ୩ଟା ବାଜିଲେ ପ୍ରବଳ ଶୀତ ଅନୁଭୂତ ହେଉଛି । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଜଙ୍ଗଲ ଅଧିଷ୍ୟୁତ ଗାଁ ଗୁଡିକରେ ଦଳ ଦଳ ହାତୀ, ହରିଣ, ବାରହା ଆଦି ବନ୍ୟଜନ୍ତୁ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ତେଣୁ ଲୋକେ ଗାଁ ଦାଣ୍ଡ ଓ ଧାନ ଖଳାରେ ନିଆଁ ଜାଳି ନିଜ ଫସଲକୁ ସୁରକ୍ଷା ଦେବା ସହ ଶୀତ ଦାଉରୁ ନିଜକୁ ରକ୍ଷା କରୁଛନ୍ତି । ତେଣୁ ସନ୍ଧ୍ୟା ହେଲେ ଜଙ୍ଗଲ ନିକଟ ଗାଁ ଗୁଡିକରେ ଲୋକ ନିଆଁ ଜାଳି ବସୁଥିବା ନଜରକୁ ଆସୁଛି । ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ଆର୍ଥିକ ଅଭାବ ଭିତରେ ରହୁଥିବାରୁ ଶୀତବସ୍ତ୍ର କିଣି ପାରନ୍ତି ନାହିଁ । ତେଣୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଏକ ମାତ୍ର ସାଧନ ।
ଏହା ମଧ୍ୟ ପଢ଼ନ୍ତୁ.... ଫେରିଲା ଶୀତ, ଜାଡ ମାଡରେ ଅସ୍ତବ୍ୟସ୍ତ ଜନଜୀବନ
ଯଦି ସହରାଞ୍ଚଳକୁ ଦେଖିବା ସକାଳ ୯ଟା ପୂର୍ବରୁ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି । ଲୋକେ ଶୀତବସ୍ତ୍ର ପରିଧାନ କରି ବାହାରକୁ ବାହାରୁଛନ୍ତି । ସକାଳୁ ବିଭିନ୍ନ ସ୍ଥାନରେ ଥିବା ଚା’ ଦୋକାନ ଗୁଡିକରେ ଭିଡ଼ ଦେଖିବାକୁ ମିଳୁଛି । ସକାଳ ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ଯାଉ ନାହିଁ । ଅନେକ ସ୍ଥାନରେ ଲୋକେ ନିଆଁ ଜାଳି ବସି ରହୁଛନ୍ତି । ତେଣୁ ଜଙ୍ଗଲ ଅଧିସୁତ ଗାଁ ଗୁଡିକରେ ଲୋକେ ନିଆଁ ଜାଳି ଶୀତଠାରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି । ଶୀତବସ୍ତ୍ର ପରିଧାନ କଲେ ମଧ୍ୟ ଶୀତ ସହ୍ୟ ହେଉନାହିଁ ।
ଇଟିଭି ଭାରତ, ଅନୁଗୋଳ