ଅନୁଗୋଳ: ସେ ପେଷାରେ ଜଣେ ଶିକ୍ଷୟତ୍ରୀ । ହେଲେ ନିଶା ତାଙ୍କର ପରିବେଶ ସୁରକ୍ଷା । ସେଥିପାଇଁ ବିଭିନ୍ନ ଜାଗା ବୁଲି ବୁଲି ଗଛ ଲଗାଉଛନ୍ତି । ଗତ ୨୦୧୨ ରୁ କେନ୍ଦ୍ରାପଡା ଓ ଅନୁଗୋଳ ଜିଲାରେ ହଜାର ହଜାର ଗଛ ଲଗାଇ ସବୁଜିମା ସୃଷ୍ଟି କରି ପାରିଛନ୍ତି । ଆଗକୁ ଏହି ଅଭିଯାନ ଚାଲୁ ରଖିବାକୁ ନିଷ୍ପତି ନେଇଛନ୍ତି । ଏଥିପାଇଁ ସେ କାହାଠାରୁ ଟଙ୍କାଟିଏ ଅନୁଦାନ ନେଇ ନାହାନ୍ତି । ନିଜ ଖର୍ଚ୍ଚରେ ଯାହା କିଛି କରିଛନ୍ତି ।
ଗୀତାଞ୍ଜଳି ସାମଲ ପେସା ଶିକ୍ଷକତା କିନ୍ତୁ ନିଶା ଗଛ ଲଗାଇ ସବୁଜିମା ସୃଷ୍ଠି କରିବା । ରାତି ପାହିଲେ ଗୀତାଞ୍ଜଳି ନିଜର ସ୍କୁଟିରେ କିଛି ଗଛ ଧରି ଘରୁ ବାହାରି ପଡନ୍ତି। ସହର ଓ ସହର ବାହାରେ ଯେଉଁଠି ଖାଲି ଜାଗା ଅଛି ସେଠାରେ ଗଛ ଲଗାନ୍ତି। ନିଜେ ମଜୁରୀ ଦେଇ ଗାତ ଖୋଳାନ୍ତି। ଗଛ ଲଗାଇବା ପରେ ପାଣି ଦେବା ଠାରୁ ଗାଈଗୋରୁ ଦାଉରୁ ଗଛକୁ ରକ୍ଷା କରିବାକୁ ଗୋରଡା ମଧ୍ୟ ଲଗାନ୍ତି। ଦୀର୍ଘ ୮ବର୍ଷ ହେଲା ସେ ଏମିତି ଗଛ ଲଗାଇ ଆସୁଛନ୍ତି। ଖାଲି ସେତିକି ନୁହଁ ଅନେକ ସ୍କୁଲ କୁ ଚାରା ମଧ୍ୟ ବାଣ୍ଟିଛନ୍ତି । ଚାରା ଲଗାଇବା ପାଇଁ ଆବଶ୍ୟକ ଖର୍ଚ୍ଚ ମଧ୍ୟ ଦେଉଛନ୍ତି । ଆଜି ତାଙ୍କ ଦ୍ୱାରା ଲଗା ଯାଇଥିବା ଗଛ ଗୁଡିକ ବଡ଼ ହୋଇ ଫୁଲ ଫୁଟିଲାଣି ।
ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗାଁରେ ଗୀତାଞ୍ଜଳୀଙ୍କ ଜନ୍ମ। ସେ ଉଦ୍ଭିଦ ବିଜ୍ଞାନରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି। ସ୍ବାମୀ କିଶୋର କୁମାର ରାଉତ ଜଣେ ବ୍ୟାଙ୍କ କର୍ମଚାରୀ । କେନ୍ଦ୍ରାପଡ଼ାର ମଧୁ ସାଗର ବିଦ୍ୟାପୀଠରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ । ସେଠାରେ ମଧ୍ୟ ସେ ବିଭିନ୍ନ ସ୍ଥାନ ଓ ସ୍କୁଲରେ ଗଛ ଲଗାଇଛନ୍ତି । ସେଠାରେ ମଧ୍ୟ ୧୦ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି ଏହି ଶିକ୍ଷତ୍ରି ଜଣକ। ତାଙ୍କର ଗଛ ଲଗାଇବା ଅଭିଯାନ ଚାଲୁ ରହିଛି। କିନ୍ତୁ କରୋନା କଟକଣା ଯୋଗୁ ସ୍କୁଲ ବନ୍ଦ ହୋଇ ଜିବାରୁ ସେ ନିଜ ଘର ଅନୁଗୋଳ କୁ ଆସି ଏଠାରେ ମଧ୍ୟ ଗଛ ଲଗାଇବା କାର୍ଯ୍ୟକ୍ରମ ଜାରିରଖିଛନ୍ତି । ୬ମାସ ମଧ୍ୟରେ ଅନୁଗୋଳ ର ବିଭିନ୍ନ ସ୍ଥାନରେ ୧୦ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି । ଆଜି ପର୍ଯ୍ୟନ୍ତ ସେ ପ୍ରାୟ ୮ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି। ତାଙ୍କ ଦରମାରୁ ପ୍ରତି ମାସରେ ୧୫ରୁ ୨୦ହଜାର ଟଙ୍କା ଏଥିପାଇଁ ଖର୍ଚ୍ଚ କରନ୍ତି। ଗୀତାଞ୍ଜଳୀଙ୍କ ଏହି ପ୍ରୟାସକୁ ବୁଦ୍ଧିଜୀବୀ, ପରିବେଶବିତ ଓ ବରିଷ୍ଠ ନାଗରିକ ସ୍ୱାଗତ କରିବା ସହ କୃତଜ୍ଞତା ଜଣାଇଛନ୍ତି।
ସରକାର ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବନବିଭାଗ ଦ୍ଵାରା ଲଗା ଯାଇଥିବା ଗଛ ଦେଖିବାକୁ ମିଳୁ ନଥିବା ବେଳେ ଗୀତାଞ୍ଜଳି ଯେଉଁ ଗଛ ଲଗାଉଛନ୍ତି ତାହା ସୁନ୍ଦର ଜଙ୍ଗଲର ରୂପ ନେଉଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ