ଅନୁଗୋଳ: ପୋଲିସ, ପ୍ରଶାସନ ଓ ଏମସିଏଲ କମ୍ପାନୀ ବିରୁଦ୍ଧରେ ତାଳଚେରବାସୀ ଉଠାଇଛନ୍ତି ବିଦ୍ରୋହ ସ୍ଵର । ତାଳଚେରରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଆସି ପହଞ୍ଚିଛି ଜିଲ୍ଲା ସଦର ମହକୁମାରେ । ଏମସିଏଲର ମନମୁଖୀ କାର୍ଯ୍ୟ, ବିନା ଥଇଥାନରେ ଉଚ୍ଛେଦ ଓ ପୋଲିସର ଦବଙ୍ଗଗିରି ପ୍ରତିବାଦରେ ବିଦ୍ରୋହ କରିଛନ୍ତି ତାଳଚେରବାସୀ । ଆଉ ଏମାନଙ୍କ ସହ ଅଛନ୍ତି ବିଧାୟକ ବ୍ରଜ କିଶୋର ପ୍ରଧାନ ।
ଅନୁଗୋଳ ଭାଲୁଗାଡିଆ ନାୟକ ସାହିର ପ୍ରାୟ 40 ଟି ପରିବାରର ଲୋକଙ୍କୁ ମଙ୍ଗଳବାରଠୁ ଅଟକ ରଖିଥିଲା ପୋଲିସ । କୋଇଲା ଖଣି ସଂପ୍ରସାରଣ ପାଇଁ ହେଉଥିବା ଉଚ୍ଛେଦକୁ ବିରୋଧ କରୁଥିବାରୁ ଜୋର ଜବରଦସ୍ତ ଗ୍ରାମବାସୀଙ୍କୁ ପୋଲିସ ଉଠାଇ ଆଣି ଅଟକ ରଖିଥିଲା । ଖାଲି ସେତିକି ନୁହେଁ ଲୋକଙ୍କୁ ଉଠାଇ ନେବା ପରେ ପୋଲିସ ବୁଲ୍ଦୋଜର ଲଗାଇ ଗ୍ରାମବାସୀଙ୍କ ଘର ଭାଙ୍ଗିଛି । ଯାହାକୁ ନେଇ ବୁଧବାର ତାଳଚେର ବନ୍ଦ ରହିଛି । ସେପଟେ ଏମସିଏଲର ସମସ୍ତ 8 ଟି ଯାକ କୋଇଲା ଖଣିକୁ ମଧ୍ୟ ସମ୍ପୂର୍ଣ୍ଣ ଅଚଳ କରି ଦିଆଯାଇଛି । ଫଳରେ ଖଣିରୁ ଖଣ୍ଡେ ବି କୋଇଲା ଉତ୍ପାଦନ କିମ୍ବା ପରିବହନ ହୋଇ ପାରିନାହିଁ ।
ଲୋକଙ୍କ ଘର ଭାଙ୍ଗିବା ଓ ପୋଲିସର ଦବଙ୍ଗଗିରି ପ୍ରତିବାଦରେ ତେଜିଥିବା ଆନ୍ଦୋଳନ କେବଳ ତାଳଚେରରେ ସୀମିତ ନରହି ଜିଲ୍ଲା ସଦର ମହକୁମାରେ ପହଞ୍ଚିଛି । ଥଇଥାନ ବିନା ଏମସିଏଲ ଏପରି କରିଥିବାରୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହ ହଜାର ହଜାର ଲୋକ ପ୍ରାୟ ଦୁଇ ଘଣ୍ଟା କାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରି ପ୍ରତିବାଦ କରିଛନ୍ତି । ସେପଟେ ଏମାନଙ୍କୁ ଥଇଥାନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ କେବେ ଜମିହରା ହେବେ ଥଇଥାନ କେବେ ଜମିହରାଙ୍କ ଉପରେ ଜୁଲମ କମିବ ତାହା ଆଗାମୀ ଦିନ କହିବ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ