ଅନୁଗୋଳ: କୁହାଯାଏ ଗୁରୁ ଶିଷ୍ୟ ସମ୍ପର୍କ ସବୁଠୁ ଉଚ୍ଚରେ । ଏଭଳି ସମ୍ପର୍କ ଆଉ କେଉଁଠି ନାହିଁ । ଆଉ ତାହା ଅନେକ ସମୟରେ ପ୍ରମାଣିତ ମଧ୍ୟ ହୋଇ ଆସୁଛି । ସମସ୍ତେ ଜାଣିଥିବେ ଏକଲବ୍ୟଙ୍କ କଥା ସେ ଏଭଳି ଜଣେ ଶିଷ୍ୟ ଥିଲେ ଯିଏ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଦକ୍ଷିଣା ରୂପେ ତାଙ୍କ ଆଙ୍ଗୁଠି ଦାନ କରିଥିଲେ । ବର୍ତ୍ତମାନ ଆଉ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳରେ ।
ଢେଙ୍କାନାଳ ଯୋରନ୍ଦାର ଅଲେଖବାବା ସୁଦୂର ନବରଙ୍ଗପୁରକୁ ଯାତ୍ରା ଆରମ୍ଭ କରିଛନ୍ତି । ସେପୁଣି କୌଣସି ଗାଡି ସାହାଯ୍ୟରେ ନୁହେଁ । ଗୁରୁ ଧନୁର୍ଜୟ ବାବାଙ୍କୁ ତାଙ୍କ ଶିଷ୍ୟମନେ କାନ୍ଧରେ କାନ୍ଧେଇ ନେଉଛନ୍ତି । ଢେଙ୍କାନାଳରୁ ନବରଙ୍ଗପୁର ପ୍ରାୟ ୪୯୮ କିମି ରାସ୍ତା । ଯାହା ଅତିକ୍ରମ କରିବାକୁ ପାଖାପାଖି ୩୦ଦିନ ଲାଗିବ। ଗ୍ରୀଷ୍ମର ଖରାରେ ପୁଣି ଖାଲି ପାଜରେ ଗୁରୁଙ୍କୁ ଶିଷ୍ୟ ମାନେ କାନ୍ଧରେ ବୋହିନେଉଛନ୍ତି ।
ଗତ ରବିବାର ସକାଳୁ ଏହି ଯାତ୍ରା ଆରମ୍ଭ ହୋଇଛି । ଗୁରୁଙ୍କ ଆଗ ପଛରେ ଅନେକ ଶିଷ୍ୟ ମାନେ ଚାଲୁଛନ୍ତି । ନବରଙ୍ଗପୁର ଅଲେଖ ମହିମା ମଠରେ ପହଞ୍ଚିବା ବାଟରେ ଭକ୍ତ ମାନେ ସାଙ୍ଗରେ ନେଇଥିବା ଖାଦ୍ୟ ମିଜେ ଖାଇବା ସହ ଗୁରୁଙ୍କୁ ଦେଉଛନ୍ତି । ରାତି ହେଲେ ରାସ୍ତା କଡରେ ଥିବା ମଠ, ମନ୍ଦିର କିମ୍ବା କୌଣସି ଆଶ୍ରୟ ଗୃହରେ ରହି ସକାଳ ହେଲେ ପୁଣି ଯାତ୍ରା ଆରମ୍ଭ କରୁଛନ୍ତି। ଗୁରୁଙ୍କ ସେବା ପାଇଁ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଶିଷ୍ୟ ଅଛନ୍ତି ବୋଲି ଜଣାପଡିଛି ।
କାନ୍ଧରେ ଭାର ନେଇ ଯାଉଥିବା ଶିଷ୍ୟକୁ କଷ୍ଟ ହେଲେ ପଛରେ ଆସୁଥିବା ଅନ୍ୟ ଶିଷ୍ୟ ମାନେ ଭାର କାନ୍ଧେଇଥାନ୍ତି।
ଅନୁଗୋଳରୁ ସଂଗ୍ରାମ ରଂଜନ ନାଥ, ଇଟିଭି ଭାରତ