ଅନୁଗୋଳ: କେନାଲ ରାସ୍ତା ପୁନରୁଦ୍ଧାର ଦାବିରେ ରସ୍ତାରୋକ । ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପୁରୁଣାଗଡ ଗ୍ରାମର ରାସ୍ତା ପୁନରୁଦ୍ଧାର ନେଇ ସ୍ଥାନୀୟ ପୁରୁଣାଗଡ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି ।
ସୂଚନା ଅନୁଯାୟୀ, ପୁରୁଣାଗଡ ଗ୍ରାମର ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ କେନାଲ ହୁଡା ରାସ୍ତା ନିର୍ମାଣ ଏବଂ କେନାଲ ରାସ୍ତା ପୁନରୁଦ୍ଧାର ନେଇ ପୋଲିସ ପ୍ରଶାସନ, ରାଜସ୍ବ ବିଭାଗ ତଥା ଜଳସେଚନ ବିଭାଗର ଅଧିକାରୀଙ୍କୁ ସ୍ଥାୟୀ ସମାଧାନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଅବଗତ କରିଥିଲେ । ମାତ୍ର ପୋଲିସ ପ୍ରଶାସନ, ଜଳସେଚନ ବିଭାଗ ଏବଂ ରାଜସ୍ବ ବିଭାଗର ନିଷ୍କ୍ରିୟତା ତଥା ଅପାରଗତା ପାଇଁ ଏପର୍ଯ୍ୟନ୍ତ କେନାଲ ରାସ୍ତା ପୁନରୁଦ୍ଧାର ହୋଇପାରିନାହିଁ ।
ଫଳରେ ଗୁରୁବାର 6ଟା ଠାରୁ ପୁରୁଣାଗଡ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ବାଗେଡିଆ -ଛେଣ୍ଡିପଦା-ଅନୁଗୋଳ ମୁଖ୍ୟ ରାସ୍ତା ଉପରେ ଟାୟାର ଜାଳିବା ସହ ଧାରଣା ଦେଇଛନ୍ତି । ଯାହାଫଳରେ ଯାନବାହନ ଚଳାଚଳ ବନ୍ଦ ରହିଛି ।
ତେବେ ଏହାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଆନ୍ଦୋଳନକାରୀ କଡା ଚେତାବନୀ ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ